ବର୍ଷିଲେ ସେବାୟତ : କଟା ଘା’ରେ ଚୂନ ଦେଇଛନ୍ତି ସାଂସଦ

Advertisment

ଆଜି ସବୁ ମନ୍ଦିର ସାମ୍ନାରେ ଘଣ୍ଟ ମାଡ଼

ଆଜି ସବୁ ମନ୍ଦିର ସାମ୍ନାରେ ଘଣ୍ଟ ମାଡ଼

ବର୍ଷିଲେ ସେବାୟତ : କଟା ଘା’ରେ ଚୂନ ଦେଇଛନ୍ତି ସାଂସଦ

ଭୁବନେଶ୍ବର : ଐତିହ୍ୟ ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଶ୍ରୀ ଲିଙ୍ଗରାଜଙ୍କ ସେବାୟତମାନେ। ସାଂସଦ କଟା ଘା’ରେ ଚୂନ ଦେଇଛନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ସାଂସଦ ଦାୟିତ୍ବହୀନ ମନ୍ତବ୍ୟ ଦେଇ ଲୋକଙ୍କୁ ଧୋକ୍କା ଦେଇଛନ୍ତି ବୋଲି ସେମାନେ କହିଛନ୍ତି। ଅପର ପକ୍ଷ‌େର ବାଇ-ଲ’ ପ୍ରତ୍ୟାହାର ଦାବିରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆସନ୍ତା କାଲି ସବୁ ମନ୍ଦିର ସାମ୍ନାରେ ଘଣ୍ଟ ମାଡ଼ ହେବ।

ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ପୁରୁଣା ଭୁବନେଶ୍ବରସ୍ଥିତ କୋରାପୁଟ ଭବନରେ ସେବାୟତମାନେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସେଥିରେ ସେମାନେ କହିଥିଲେ ଯେ ସାଂସଦ ତାଙ୍କ ନିର୍ବାଚନମଣ୍ଡଳୀର ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମସ୍ୟା ଉପରେ ଏତେ ଦିନ ପରେ ମୁହଁ ଖୋଲିଲେ। କିନ୍ତୁ ସେ ସିଧାସଳଖ ବିମାନ ବନ୍ଦରରୁ ଆସି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ତାହା ପୂର୍ବରୁ ପୁରୁଣା ଭୁବନେଶ୍ବରର ବାସିନ୍ଦା, ସେବାୟତ ତଥା ନିଯୋଗମାନଙ୍କ ସହିତ ଆଲୋଚନା କରି ବାଇ-ଲ’ ଦ୍ବାରା ସେମାନେ କିପରି ଭାବରେ ପ୍ରଭାବିତ ହେବେ, ତାହା ଭଲ ଭାବରେ ବୁଝି ତା ଉପରେ ଟିପ୍‌ପଣୀ ଦେଇଥିଲେ ଭଲ ହୋଇଥାନ୍ତା। ଲୋକ ପ୍ରତିନିଧି ଭାବରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ଦାୟିତ୍ବହୀନ ମନ୍ତବ୍ୟ ପୁରୁଣା ଭୁବନେଶ୍ବରବାସୀଙ୍କୁ ମର୍ମାହତ କରିଛି। ଯେଉଁ ଲୋକମାନେ ତାଙ୍କ ନିର୍ବାଚିତ କରିଥିଲେ, ସେମାନଙ୍କୁ ବିଶ୍ବାସକୁ ନ ନେଇ, ସେମାନଙ୍କ ଅସୁବିଧା ସମୟରେ ଏଭଳି ହାଲ୍‌କା ମନ୍ତବ୍ୟ ଦେବା ଲୋକଙ୍କ ସହିତ ଧୋକା। ଯଦି ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ବାଇ-ଲ୍‌ ଭୁଲ ହୋଇଛି ବୋଲି ପ୍ରତ୍ୟାହାର କରାଗଲା, ତେବେ ଭୁବନେଶ୍ବର କ୍ଷେତ୍ରରେ ପ୍ରତ୍ୟାହର କରିବାରେ ଅସୁବିଧା କେଉଁଠି ରହିଲା?

ସେମାନେ ଆହୁରି କହିଥିଲେ, ସାଂସଦ ଜାଣି ରଖିବା ଉଚିତ ଯେ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ଶ୍ରୀ ଅନନ୍ତ ବାସୁଦେବ ଏବଂ ଶ୍ରୀ ବ୍ରହ୍ମେଶ୍ବର ହେଉଛନ୍ତି ଜୀବନ୍ତ ଠାକୁର। କୋଟି କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଲୋକ ପ୍ରତିନିଧି ଭାବରେ ଯଦି ସାଂସଦ ଲୋକଙ୍କ ଦୁଃଖ ସମୟରେ ଠିଆ ହୋଇ ନ ପାରିଲେ, ତେବେ ଚୁପ୍‌ ରହିଥିଲେ ଭଲ ହୋଇଥା’ନ୍ତା। ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳୁଛି, ଆର୍ଥିଂ ନାହିଁ, ସିଂହଦ୍ବାର କବାଟ ଭାଙ୍ଗିବା ଅବସ୍ଥାରେ ଅଛି। ଏ ଦିଗରେ ଏଏସ୍ଆଇ ପଦକ୍ଷେପ ନ ନେଇ ଏବେ କଟକଣା କାହିଁକି କରୁଛି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି। ସମ୍ବାଦିକ ସମ୍ମିଳନୀରେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ, ସମ୍ପାଦକ କମଳାକାନ୍ତ ବଟୁ, ସମର୍ଥା ନିଯୋଗ ଉପସଭାପତି ରାଜେନ୍ଦ୍ର ସମର୍ଥା, ସମ୍ପାଦକ ପ୍ରଶାନ୍ତ ସମର୍ଥା, ଦୀପକ ମହାପାତ୍ର, ବେଣୁଧର ପାତ୍ର ଓ ଗୋପନ ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe