ରାଜ୍ୟରେ ମିଳୁନି ମ୍ୟୁକର ମାଇକୋସିସ୍‌ ଇଂଜେକସନ୍

Advertisment

୧୦ ଦିନ ହେଲା ଖୋଜୁଛନ୍ତି ଆକ୍ରାନ୍ତ, ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ୧୫ ରୋଗୀ

୧୦ ଦିନ ହେଲା ଖୋଜୁଛନ୍ତି ଆକ୍ରାନ୍ତ, ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ୧୫ ରୋଗୀ

ରାଜ୍ୟରେ ମିଳୁନି ମ୍ୟୁକର ମାଇକୋସିସ୍‌ ଇଂଜେକସନ୍

Zee News

ଭୁବନେଶ୍ବର : ମ୍ୟୁକର ମାଇକୋସିସ (ବ୍ଲାକ ଫଙ୍ଗସ୍‌) ରୋଗୀ ସଂଖ୍ୟା ରାଜ୍ୟରେ କ୍ରମଶଃ ବଢ଼ିବଢ଼ି ଚାଲିଥିବାବେଳେ ଏହି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଜୀବନ ରକ୍ଷାକାରୀ ଇଂଜେକସନ ଲିପୋଜୋମାଲ ଆମ୍ଫୋଟେରିସିନ-ବି ଏବେ ମିଳୁନି। ଫଳରେ ଆକ୍ରାନ୍ତଙ୍କ ସମ୍ପର୍କୀୟମାନେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇ ରାଜଧାନୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ୩୧ ବର୍ଷୀୟ ଯୁବକଙ୍କ ସଂପର୍କୀୟମାନେ ୧୦ ଦିନ ହେଲା ଖୋଜୁଛନ୍ତି ଏହି ଇଂଜେକସନ। ଏ ସଂକ୍ରାନ୍ତରେ ସେମାନେ ଔଷଧ ନିଗମ, ବିଏମସି କମିସନର, ରାଜ୍ୟ, କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ମାତ୍ର ଏଯାଏ ଇଂଜେକସନ୍ ଯୋଗାଡ଼ ହୋଇ ପାରିନାହିଁ।

ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ମ୍ୟୁକର ମାଇକୋସିସ ଚିକିତ୍ସାଧୀନ ରୋଗୀ ଏମିତି ଔଷଧ ନ ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବ୍ୟାପକ ଭାବରେ ଏହି ଇଂଜେକସନର କଳାବଜାରୀ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ଫୁଲବାଣୀର ଜ୍ୟୋତୀର୍ମୟ ପାଣିଗ୍ରାହୀ(୩୧)ଙ୍କ ମଧୁମେହ କିମ୍ବା କୌଣସି ଗୁରୁତର ରୋଗ ବି ନଥିଲା। ଏହା ସତ୍ତ୍ବେ ସେ ମ୍ୟୁକରମାଇକୋସିସ ଭଳି ରୋଗରେ ଆକ୍ରାନ୍ତ ହେବେ ବୋଲି ପରିବାର କେବେ ଚିନ୍ତା ମଧ୍ୟ କରିନଥିଲେ। କୋଭିଡ ମୁକ୍ତ ହେବାର ୪ରୁ୫ ଦିନ ପରେ ତାଙ୍କ ଆଖି ପାଖ ଫୁଲିବା ସହିତ ଲାଲ ହୋଇଯାଇଥିଲା। ଏହାପରେ ପାଟି ପାଖରେ ମଧ୍ୟ ଫୁଲି ଯାଇଥିଲା। ତେଣୁ ସନ୍ଦେହ ହେବାରୁ ସେ ଡାକ୍ତରଙ୍କ ପରାମର୍ଶରେ ଏମ୍‌ଆର୍‌ଆଇ କରିବାରୁ ମ୍ୟୁକରମାଇକୋସିସ ହୋଇଥିବା ଜଣାପଡ଼ିଥିଲା। ରାଜ୍ୟର ତୃତୀୟ ବ୍ୟକ୍ତି ଭାବରେ ତାଙ୍କ ଠାରେ ଏହି ରୋଗ ଚିହ୍ନଟ ହୋଇଥିଲା। ମାତ୍ରାଧିକ ଷ୍ଟେରଏଡ ବ୍ୟବହାର ଏହାର କାରଣ ବୋଲି କୁହାଯାଉଛି। ଗତ ୧୩ ତାରିଖରେ ସେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ତାଙ୍କର ଅସ୍ତ୍ରୋପଚାର କରାଗଲା। ଏହାର ଠିକ୍‌ ପରେ ଲିପୋଜୋମାଲ ଆମ୍ଫୋଟେରିସିନ-ବି କୋର୍ସ ଅର୍ଥାତ ସମୁଦାୟ ୬୦ଟି ଇଂଜେକସନ୍ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଦୈନିକ ପ୍ରାୟ ୬ଟି କରି ଲଗାତାର ୧୦ ଦିନ ଦିଆଯିବା କଥା। ବର୍ତ୍ତମାନ ପର୍ଯ୍ୟନ୍ତ ଜ୍ୟୋର୍ତିମୟଙ୍କୁ ସମୁଦାୟ ୨୦ଟି ଇଂଜେକସନ୍ ଦିଆଯାଇଛି। ଅବଶିଷ୍ଟ ୪୦ଟି ଇଂଜେକସନ ପାଇଁ ୧୨ ଦିନ ହେଲା ପରିବାର ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇ ପାରି ନାହାନ୍ତି। ଏଥିପାଇଁ ସରକାରଙ୍କ ନିକଟରେ ଆବେଦନ କରାଯିବା ସହିତ ରାଜ୍ୟରେ ସ୍ଥିତ ସମସ୍ତ ଔଷଧ ଦୋକାନ, ରାଜ୍ୟ ବାହାରର ଔଷଧ ଦୋକାନ ସହିତ ଯୋଗାଯୋଗ କରାଯାଇଛି, କିନ୍ତୁ ଏହା ମିଳୁ ନାହିଁ।

ଲିପୋଜୋମାଲ ଆମ୍ଫୋଟେରିସିନ-ବି ଇଂଜେକସନର ସରକାରୀ ମୂଲ୍ୟ ୬୮୦୦ ଏବଂ ୭୮୦୦ ଟଙ୍କା। ଏହାର ସୀମିତ ସଂଖ୍ୟକ ଯୋଗାଣ ହେଉଥିବାରୁ ସରକାରୀ ନିୟନ୍ତ୍ରଣରେ ରହୁଛି। ଡାକ୍ତରଖାନାର ଆବଶ୍ୟକତା ଅନୁଯାୟୀ ସରକାରଙ୍କ ପକ୍ଷରୁ ଏହା ଦିଆଯାଉଛି। ରୋଗୀଙ୍କ ଆବଶ୍ୟକତାର ସୁଯୋଗ ନେଇ ରାଜ୍ୟ ଏବଂ ଦେଶରେ ଏହାର ବ୍ୟାପକ କଳାବଜାରୀ ହୋଇ ୩୫ରୁ ୩୮ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏପରିକି ଏହି ଇଂଜେକସନ ନାମରେ ଅନେକ ନକଲି ଇଂଜେକସନ ମଧ୍ୟ ବିକ୍ରି ହେଉଛି। ଲିପୋଜୋମାଲ ଆମ୍ଫୋଟେରିସିନ-ବିର ବିକଳ୍ପ ଇଂଜେକସନ ୧୧ ହଜାର ଟଙ୍କାରେ ବିକ୍ରି ହେଉଛି। ମାତ୍ର ଏହାର ଲିପୋଜୋମାଲ ଭଳି ଉପାଦେୟ ନୁହେଁ। ୩୦୦ ଟଙ୍କା ମୂଲ୍ୟର ଅନ୍ୟ ଏକ ବିକଳ୍ପ ଇଂଜେକସନର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ କ୍ରିଏଟିନିନ୍ ବୃଦ୍ଧି କରି କିଡନି ଖରାପ କରୁଛି। ଏଭଳି ସ୍ଥିତିରେ ରାଜ୍ୟ, କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବେ ଆଶା ରହିଛି।

କରୋନା ମହାମାରୀ ସମୟରେ ମ୍ୟୁକର ମାଇକୋସିସକୁ ଦେଶର ବିଭିନ୍ନ ସ୍ଥାନରେ ଏକ ନୋଟିଫାଏଡ୍ ବା ଅଧିସୂଚିତ ରୋଗ ଭାବେ ଘୋଷଣା କରାଯାଇଛି। ତେଣୁ ଏହାକୁ ନେଇ ଭୟର ପରିବେଶ ରହିଛି। ତେବେ ଏହି ରୋଗରେ ପୀଡ଼ିତ ଅନେକ ବ୍ୟକ୍ତି ସୁସ୍ଥ ହେବାରେ ଲାଗିଛନ୍ତି। ଲକ୍ଷଣ ଦେଖା ଦେବା ସହିତ ରୋଗୀ ଡାକ୍ତରଖାନାକୁ ଆସିଲେ ଏହାର ଚିକିତ୍ସା ସମ୍ଭବ ହେବ ବୋଲି କହିଛନ୍ତି ଏମ୍ସ ଭୁବନେଶ୍ବରର ଜଣେ ଡାକ୍ତର। ସୂଚନା ଅନୁଯାୟୀ, ଏମ୍ସରେ ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରର ୧୫ ଜଣ ମ୍ୟୁକରମାଇକୋସିସ୍ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏମାନେ ଇଏନଟି, ଚକ୍ଷୁ ଏବଂ ପୁଲମୋନାରୀ ବିଭାଗ ବିଭାଗରେ ଭର୍ତ୍ତି ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବାଦ୍‌ ଦେଲେ ବାକି ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଡିସଚାର୍ଜ କରାଯାଇ ନାହିଁ। ସେମାନେ ସୁସ୍ଥ ହେବେ ବୋଲି ଆଶା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe