ବଦଳୁନି କେନ୍ଦ୍ରାପଡା ବଗପାଟିଆର ଚିତ୍ର : ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ସାତଭାୟାବାସୀ

Advertisment
ବଦଳୁନି କେନ୍ଦ୍ରାପଡା ବଗପାଟିଆର ଚିତ୍ର : ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ସାତଭାୟାବାସୀ

ରାଜନଗର : ଜିଲ୍ଲାପାଳ ବଦଳିଲେ ହେଲେ ବଦଳିଲା ନାହିଁ ବିସ୍ଥାପିତଙ୍କ ଜୀବନଚର୍ଯ୍ୟା । ବର୍ଷା ଆରମ୍ଭରୁ ଜଳବନ୍ଦୀ ଜୀବନ । ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ସାତଭାୟାବାସୀ । ସମୁଦ୍ର ଗର୍ଭରେ ଗାଁ ଲୀନ ହେବାକୁ ଥିବା କେନ୍ଦ୍ରାପଡା ସାତଭାୟାବାସୀଙ୍କୁ ରାଜନଗର ବଗପାଟିଆ ଗାଁରେ ଥଇଥାନ କରାଯାଇଛି । ହେଲେ ଏଠାରେ କିନ୍ତୁ ସେମାନଙ୍କ ଦୁଃଖ ସାତଭାୟା ଠାରୁ ବଳି ଯାଇଛି।

ବଦଳୁଛନ୍ତି ଜିଲ୍ଲାପାଳ ହେଲେ ବଦଳୁନି କେନ୍ଦ୍ରାପଡା ବଗପାଟିଆର ଚିତ୍ର । ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଛାନିଆ ବଗପାଟିଆ ବାସିନ୍ଦା। ସାତଭାୟା ଅଂଚଳରେ ବଙ୍ଗୋପସାଗରରେ ଲୀନ ହୋଇଯିବାର ଆଶଙ୍କା ଥିବାରୁ ସେଠାରେ ରହୁଥିବା ଲୋକଙ୍କୁ ରାଜନଗର ବଗପାଟିଆ ଠାରେ ଥଇଥାନ କରିଛନ୍ତି ପ୍ରଶାସନ। ୫ ଶହ ପରିବାର ରହୁଥିବା ଏହି ଅଂଚଳର ସ୍ଥିତି ବିଗାଡି ଦେଇଛି ବର୍ଷା। ଜନବସତିଟି ରାସ୍ତା ଠାରୁ ୮ ଫୁଟ ତଳେ ଥିବାରୁ ବର୍ଷା ଯୋଗୁଁ ରାସ୍ତାଘାଟ କାଦୁଅ ପଚପଚ ହୋଇଛି । ପାଣିରେ ପଶି ଲୋକେ ଯିବା ଆସିବା କରୁଛନ୍ତି।

ବର୍ଷେ ତଳେ ବଗପାଟିଆରେ ଡେରା ପକାଉଥିଲେ ଜିଲ୍ଲାପାଳ, ବିଡିଓ। ହେଲେ ଏବେ ଆଉ କାହାରି କାହାରି ଦେଖା ନାହିଁ । ସରକାରୀ ବାବୁ ତ ପାଣି କାଦୁଅକୁ ଆସୁନାହାନ୍ତି, ସାତଭାୟାବାସୀଙ୍କ ଥଇଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ମିଳିନାହିଁ । ବଗପାଟିଆର ଖାଲୁଆ ସ୍ଥାନକୁ ମାଟି ପକାଇ ପୋତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ଅନୁଦାନ ମିଳିଛି । ଦେଢ ବର୍ଷ ହେବ ମାଟି ପକା କାମ ଚାଲିଛି । ଠାକିଦାର ଓ ଅଧିକାରୀ ମାତ୍ର ୨୦ ପ୍ରତିଶତ କାମ କରି ଛୁ ମାରିବା ପରେ ଲୋକଙ୍କ ଦୁର୍ଦଶା ବଢିଯାଇଛି । ଛାତ୍ରଛାତ୍ରୀ କାଦୁଅ ରାସ୍ତାରେ ପଶି ସ୍କୁଲ ଯାଉଛନ୍ତି ।

ରାସନ ପାଇଁ ନିକଟସ୍ଥ ଗୁପ୍ତି, ଓକିଲପାଳ ଓ ରାଜନଗର ଉପରେ ନିର୍ଭର କରୁଥିବା ଲୋକ ବହୁ ଅସୁବିଧା ଭୋଗୁଛନ୍ତି । ସେପଟେ ଖୁବ୍‌ଶୀଘ୍ର ବଗପାଟିଆର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ସମୁଦ୍ର ଗାଁକୁ ଗିଳି ଦେବାର ଭୟ ଥିବାରୁ ବିସ୍ଥାପିତ ହେଲେ। ହେଲେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଥିବା ବଗପାଟିଆ ଗାଁର ଦୁଃଖ ବଳିଗଲା ସାତଭାୟା ଦୁଃଖକୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe