ଧାମନଗର ବିଧାୟକଙ୍କ ଅଡ଼ୁଆ ବଢ଼ିଲା

ହତ୍ୟାକାଣ୍ଡ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦ୍ଦିଷ୍ଟ ସାକ୍ଷୀଙ୍କୁ ଅନୁମତି

ଧାମନଗର ବିଧାୟକଙ୍କ ଅଡ଼ୁଆ ବଢ଼ିଲା

କଟକ : ଧାମନଗର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ ବିଚାରାଧୀନ ହତ୍ୟା ମାମଲାରେ ଗୌରାଙ୍ଗ ମହାକୁଡ଼ଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୨ ମସିହାରେ ଘଟିଥିବା ନିରଂଜନ ଜେନା ହତ୍ୟାକାଣ୍ଡ ମାମଲାରେ ଗୌରାଙ୍ଗ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ହୋଇଥିବା ବେଳେ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ତାଙ୍କ ନାଁ ସାକ୍ଷୀଙ୍କ ତାଲିକାରେ ନଥିଲା। ମୃତ ନିରଂଜନଙ୍କ ଦାଦା ଦୁଃଶାସନ ଜେନା ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ହତ୍ୟାକାଣ୍ଡ ମାମଲାରେ ଗୌରାଙ୍ଗଙ୍କ ସାକ୍ଷ୍ୟ ଗ୍ରହଣ କରିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶୁତୋଷ ମିଶ୍ର ମାମଲା ପରିଚାଳନା କରୁଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ବହୁ ଚର୍ଚ୍ଚିତ ନିରଂଜନ ହତ୍ୟାକଣ୍ଡ ମାମଲାରେ ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ସାକ୍ଷୀଙ୍କ ତାଲିକାରେ ନିରଂଜନଙ୍କ ପତ୍ନୀ ସୁଲୋଚନା ଜେନା ଓ ଗୌରଙ୍ଗଙ୍କ ନାଁ ନଥିଲା। ଏପରି ପରିସ୍ଥିତିରେ ଦୁଃଶାସନ ଭଦ୍ରକ ଅତିରିକ୍ତ ଦୌରା ଜଜ୍‌ ଅଦାଲତରେ ଗୌରାଙ୍ଗ ଓ ସୁଲୋଚନାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଅନୁମତି ପ୍ରଦାନ ଲାଗି ପିଟିସନ୍‌ ଦାଖଲ କରିଥିଲେ। ଅଦାଲତ ସୁଲୋଚନାଙ୍କୁ ସାକ୍ଷୀ ଭାବେ ଗ୍ରହଣ ପାଇଁ ଅନୁମତି ଦେଇଥିବା ବେଳେ ଗୌରାଙ୍ଗଙ୍କ ପ୍ରସଂଗରେ ଆବେଦନ ଖାରଜ କରିଥିଲେ। ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଃଶାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆକ୍ରମଣ ପରେ ଗୁରୁତର ନିରଂଜନଙ୍କୁ ହସ୍ପିଟାଲ ନେବା ରାସ୍ତାରେ ଗୌରାଙ୍ଗ ସାଙ୍ଗରେ ଥିଲେ। ଏଥି ସହିିତ ହସ୍ପିଟାଲରେ ଚିକିତ୍ସା ସମୟରେ ମଧ୍ୟ ଗୌରାଙ୍ଗ ସେଠାରେ ଉପସ୍ଥିତ ଥିଲେ। ମୃତ୍ୟୁ ପୂର୍ବରୁ ଆକ୍ରମଣକାରୀଙ୍କ ସଂପର୍କରେ ନିରଂଜନ ଗୌରାଙ୍ଗଙ୍କୁ କହିଥିବା ବେଳେ ତଦନ୍ତ ବେଳେ ପୁଲିସ ନଜରକୁ ସବୁ ଆସିଥିଲା। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଦାଖଲ ଚାର୍ଜସିଟରେ ସାକ୍ଷୀଙ୍କ ତାଲିକାରୁ ଗୌରାଙ୍ଗଙ୍କୁ ବାଦ ଦିଆଯାଇଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe