ମନ୍ଥର ଗତିରେ ଗ୍ରାମାଞ୍ଚଳରେ ମଲ୍‌ଟି ସ୍ପେସାଲିଟି ହସ୍ପିଟାଲ: ପ୍ରକଳ୍ପ ନିରୀକ୍ଷଣ ଏଜେନ୍‌ସି ଚୟନ ପାଇଁ ଆର୍‌ଏଫ୍‌ଜି ଜାରି

ଗ୍ରାମାଞ୍ଚଳରେ ମଲ୍‌ଟି ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ମିଳିବ। ୬ବର୍ଷ ତଳେ ରାଜ୍ୟବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ପୂର୍ବ ସରକାର ଯଦିଓ ଏଥିପାଇଁ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରିଥିଲେ, ହେଲେ ଏହା ଭିତରେ ସରକାର ବଦଳିଯାଇଛି।

Approved the proposed amendments to the Medical and Health Care Regulations 2017

Approved the proposed amendments to the Medical and Health Care Regulations 2017

ଭୁବନେଶ୍ବର: ଗ୍ରାମାଞ୍ଚଳରେ ମଲ୍‌ଟି ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ମିଳିବ। ୬ବର୍ଷ ତଳେ ରାଜ୍ୟବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ପୂର୍ବ ସରକାର ଯଦିଓ ଏଥିପାଇଁ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରିଥିଲେ, ହେଲେ ଏହା ଭିତରେ ସରକାର ବଦଳିଯାଇଛି। ବହୁବର୍ଷ ପରେ ରାଜ୍ୟର ୪ଟି ସ୍ଥାନରେ ମଲ୍‌ଟି ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି। ଆସନ୍ତାବର୍ଷ ଶେଷ ଆଡ଼କୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମାତ୍ର ବିଭିନ୍ନ କାରଣ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଲାଗି ଆହୁରି ସମୟ ଲାଗିପାରେ ବୋଲି ସୂଚନା ମିଳିଛି। ୨୦୧୮ ମସିହା ମେକ୍ ଇନ୍‌ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାର ପିପିପି ମୋଡ୍‌ରେ ରାଜ୍ୟର ୨୫ଟି ସ୍ଥାନରେ ମଲ୍‌ଟି ସ୍ପେସାଲିଟି ହସ୍ପିଟାଲ୍‌ ପ୍ରତିଷ୍ଠା ପାଇଁ ଯୋଜନା କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟସେବାରେ ଆଉ ୨୯ଶହ ଶଯ୍ୟା ସାମିଲ ହେବା ସହ ଏଥିପାଇଁ ୧୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଯାହାଫଳରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟାସେବା ସୁଦୃଢ଼ ହୋଇପାରିବ। ଏହାର ବହୁବର୍ଷ ପରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବଡ଼ବିଲ, ଝାରସୁଗୁଡ଼ା ଓ ଭଦ୍ରକ ଜିଲ୍ଲାରେ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଚଳିତବର୍ଷ ଜୁଲାଇ ମାସରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ୪ଟି ହସ୍ପିଟାଲ ପାଇଁ ନିରୀକ୍ଷଣ ଏଜେନ୍‌ସି ଚୟନ ପାଇଁ ଅନୁରୋଧପତ୍ର(ଆର୍‌ଏଫ୍‌ପି) ଜାରି ହୋଇଛି। ଚୟନ ହେବାକୁ ଥିବା ଏଜେନ୍‌ସି ଆସନ୍ତା ୩ବର୍ଷ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟର ନିରୀକ୍ଷଣ କରିବ ବୋଲି କୁହାଯାଇଛି। 

ଉତ୍କଳ ହେଲ୍‌ଥକେୟାର ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍‌ ଅଫ ଟେ‌କ୍‌ନୋଲୋଜି ପକ୍ଷରୁ ଅନୁଗୁଳ ଓ ବଡ଼ବିଲରେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏହାସହ ଭଦ୍ରକ ଓ ଝାରସୁଗୁଡ଼ାରେ ସାଇଗ୍ନସ ମେଡିକେୟାର ଓ ଓମ୍‌ନିଲିଙ୍କ ଟେକ୍‌ନୋଲୋଜି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଚୁକ୍ତି ହୋଇଛି। ୨୦୨୩ ମସିହାରେ ହୋଇଥିବା ଚୁକ୍ତିନାମା ଅନୁସାରେ, ରାଜ୍ୟ ସରକାର ଏଥିପାଇଁ ଜାଗା ଓ ଆର୍ଥିକ ସହାୟତା ଯୋଗାଇଦେବେ। ଘରୋଇ ସଂସ୍ଥା ହସ୍ପିଟାଲ ନିର୍ମାଣ କରିବା ସହ ୩୦ବର୍ଷ ପାଇଁ ଏହାକୁ ପରିଚାଳନା କରିବେ। ଏହି ସମସ୍ତ ହସ୍ପିଟାଲ ଏନ୍‌ଏବିଏଚ୍‌ ଅନୁମୋଦିତ ଢାଞ୍ଚାରେ ନିର୍ମାଣ କରାଯିବ। ଏଥିପାଇଁ ୨୪ଘଣ୍ଟିଆ ଟ୍ରମା କେୟାର, ଓପିଡି, ଆଇପିଡି ଓ ସୁପର ସ୍ପେସାଲିଟି ସେବା ସୁବିଧା ରହିବ। 

ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲ ନିର୍ମାଣ ହେବାକୁ ୪ଟି ସ୍ଥାନରେ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ପ୍ରାରମ୍ଭରୁ ଏହି ପ୍ରକଳ୍ପରେ ସାମିଲ ହେବା ପାଇଁ ଘରୋଇ ସଂସ୍ଥାମାନେ ସେତେଟା ଆଗ୍ରହ ପ୍ରକାଶ କରି ନ ଥିଲେ। ପରବର୍ତ୍ତୀ ସମୟରେ ଜମି ଚିହ୍ନଟ ଓ ହସ୍ତାନ୍ତର ମଧ୍ୟ ବିଳମ୍ବିତ ହୋଇଥିଲା। ଏସବୁ କାରଣ ପାଇଁ ୨୦୨୬ମସିହା ନଭେମ୍ବର ସୁଦ୍ଧା ଏସବୁ ପ୍ରକଳ୍ପକୁ କାର୍ଯ୍ୟକ୍ଷମ ହେବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭାଗ ପକ୍ଷରୁ ଏହାର ନିୟମିତ ସମୀକ୍ଷା ହେଉଛି। ଠିକ୍ ସମୟରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ସେଥିପାଇଁ ଘରୋଇ ସଂସ୍ଥାମାନଙ୍କ ସହ ଆଲୋଚନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe