ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଆରମ୍ଭ 

Advertisment
ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଆରମ୍ଭ 

ଦେବଗଡ଼: ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲ୍‌ରେ ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲାରେ ଥିବା କଳା ଓ ସାହିତ୍ୟ ବେଶ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲୁକାୟିତ କଳାକୁ ଲୋକଲୋଚନକୁ ଆଣି କିପରି ଅଧିକରୁ ଅଧିକ କଳାକାର ସୃଷ୍ଟି ହୋଇପାରିବେ, ବର୍ତ୍ତମାନ ସମୟରେ ନାଟକକୁ କିପରି ବଞ୍ଚାଇ ରଖାଯାଇ ପାରିବେ ସେ ସଂପର୍କରେ ଆଲୋଚନା ହୋଇଥିଲା। ଅତ୍ୟତମ ଅତିଥି ଭାବେ ନାଟ୍ୟଶ୍ରୀ ଅତୁଲ୍ୟ ପୂଜାରୀ, ଆଇନଜୀବୀ ଦିଲ୍ଲିପ ଗୁରୁ, ଅନୁଷ୍ଠାନର ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ମଂଚାସୀନ ଥିଲେ।

ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜନ୍ମାଜୟ ନାୟକ ମଞ୍ଚ ପରିଚାଳନା କରିଥିଲେ। ଚଳିତ ବର୍ଷ ଏହି ନାଟକ ମହୋତ୍ସବକୁ ଦୀର୍ଘ ଦିନ ଧରି ବିଚାରକ ଦାୟିତ୍ଵ ତୁଲାଇ ଆସୁଥିବା ସମ୍ବଲୁପରର ସ୍ବର୍ଗତ ପଞ୍ଚାନନ ମିଶ୍ର ଏବଂ ରାଉଲକେଲାର ସ୍ବର୍ଗତ କେଦାରନାଥ ଆଚାର୍ଯ୍ୟଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଛି। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଭୁବନେଶ୍ବର ମିରର ନାଟ୍ୟ ସଂସ୍ଥାର ଇଂ. ଅଜୟ ମହାପାତ୍ରଙ୍କ ରଚିତ ଓ ଶିବ ପ୍ରସାଦ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ନାଟକ ‘ଶୁଭ ବିବାହ’ ମଞ୍ଚସ୍ଥ ହୋଇଥିଲା। ନାଟକର କଥାବସ୍ତୁ ଅନୁସାରେ ସୁରେଶ ଜଣେ ଆଇଟି ପ୍ରଫେସନାଲ ଭାବେ ଦିଲ୍ଲୀରେ ଚାକିରି କରୁଛନ୍ତି। ତାଙ୍କ ମତରେ ଜୀବନ ସାଥୀ ଜଣେ ଉଚ୍ଚ ଶିକ୍ଷାତା, ଉଚ୍ଚ ବେତନଧାରିଣୀ ଏବଂ ଭଲ ପରିବାରର ହୋଇଥିବା ଦରକାର। ମେଟ୍ରିମୋନିଆଲ ସାଇଟ୍‌ରେ ତାଙ୍କର ସଂପର୍କ ହୁଏ ମାନ୍ୟତା ସହିତ। ଯିଏ ମୁମ୍ବାଇରେ ଚାକିରି କରନ୍ତି। ପରିବାରର ଇଚ୍ଛାକୁ ଅଣଦେଖା କରି ଦୁହେଁ ବିବାହ କରନ୍ତି ଭୁବନେଶ୍ବରରେ। ଏଠାରେ ସେମାନେ ଏକ ଘର କିଣନ୍ତି।

publive-image

ସେମାନେ ସ୍ବାମୀ-ସ୍ତ୍ରୀ ନୁହେଁ ବରଂ ଦୁଇ ବନ୍ଧୁ ପରି ଚଳନ୍ତି। ବର୍ଷକରେ ମାସେ ପାଇଁ ସେମାନେ ଛୁଟିରେ ଆସନ୍ତି। ଖୁବ ହସଖୁସିରେ ଦିନଗୁଡ଼ିକ କଟିଯାଏ। ହେଲେ ଅଳ୍ପ ଦିନ ଅନ୍ତେ  ସେମାନେ ପରସ୍ପର ପ୍ରତି ବିମୁଖ ହେବାରେ ଲାଗନ୍ତି। ପରସ୍ପରର ଦୁର୍ଗୁଣ ସେମାନଙ୍କ ଆଖିରେ ଦେଖାଯାଏ। ଶେଷରେ ଦିନେ ଖୁବ ସହଜ ଭାବେ ସେମାନେ ପରସ୍ପରକୁ ଛାଡପତ୍ର ଦେଇ ପୁଣି ଆଉ ଥରେ ବିବାହ କରିବାକୁ ନିର୍ଣ୍ଣୟ ନିଅନ୍ତି। ସେମାନଙ୍କର ଏହି ନିର୍ଣ୍ଣୟ ବାବଦରେ ଜାଣି ତାଙ୍କ ବାପା-ମା’ ଦୁଃଖିତ ହୁଅନ୍ତି ଏବଂ ନିଜ ନିଜ ସନ୍ତାନମାନଙ୍କୁ ଭାରତୀୟ ଦାମ୍ପତ୍ୟ ପରମ୍ପରା ସଂପର୍କରେ ଅବଗତ କରାନ୍ତି। କିଛି ଦିନ ପରେ ସୁରେଶ ନିର୍ଣ୍ଣୟ ନିଅନ୍ତି ଯେ ସେ ନିଜ ବାପାଙ୍କ ସହମତିରେ ହିଁ ବିବାହ କରିବ। ସେ ଘରକୁ ଫେରି ଦେଖନ୍ତି ତାଙ୍କ ଘରେ ଓଡ଼ିଆଣି ବେଶରେ ଜଣେ ଝିଅ ଅଛି। ସୁରେଶଙ୍କ ବାପା କୈଳାସ କୁହନ୍ତି ଏହି ଝିଅଟିକୁ ବୋହୂ କରିବାକୁ ଭାବିଛି। ତୋ ପସନ୍ଦ ହେଲେ କଥା ପକ୍କା କରିବା। ଝିଅଟି ଓଢ଼ଣୀ ଉଠେଇବାରୁ ସୁରେଶ ଦେଖୁଛନ୍ତି ଇଏ ଆଉ କେହି ନୁହେଁ ମାନ୍ୟତା। ମାନ୍ୟତା କୁହନ୍ତି ‘ସ୍ବାମୀ ବଦଳେଇବା ଅପେକ୍ଷା ମୁଁ ନିଜକୁ ବଦଳେଇବାକୁ ଠିକ୍ କରିଛି’। ସୁରେଶ ବି ନିଜ ଭୁଲ ବୁଝି ପାରିଛନ୍ତି। ସମସ୍ତେ ଏକାଠି ହୋଇଛନ୍ତି ପୁଣି ଥରେ ସେମାନଙ୍କ ଶୁଭ- ବିବାହ ଭାରତୀୟ ରୀତି ନୀତି ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତରଞ୍ଜନ ଦାସ, ବଂଶୀଧର ସାହୁ, ଶିବାଶିଷ ଝାଙ୍କରଙ୍କ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe