ମୁନା ପାଇଲା କୃତ୍ରିମ ହାତ

Advertisment
ମୁନା ପାଇଲା କୃତ୍ରିମ ହାତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ଲକ୍ଷ୍ମୀପୁରର ବରଡାନାଳି ଗ୍ରାମର ଜିଲୁ ମାଝୀଙ୍କ ୭ ବର୍ଷର ପୁଅ ମୁନା ମାଝୀ ବିଦ୍ୟୁତ୍‌ ଆଘାତରେ ଦୁଇ ହାତ ହରାଇଥିଲା। ଏବେ ତା’ର କୃତ୍ରିମ ହାତ ଖଞ୍ଜାଯାଇଛି। ଫଳରେ ମୁନା ଏବେ ସ୍କୁଲ ଯାଇପାରିବ ବୋଲି ଆଶା ବାନ୍ଧିଛି।

ଲକ୍ଷ୍ମୀପୁର ଗ୍ରାମ ବରଡ଼ାନାଳିର ଜିଲୁ ମାଝୀଙ୍କ ପୁଅ ମୁନା ଗତ ଜୁଲାଇ ମାସ ଏକ ତାରିଖ ରଥଯାତ୍ରା ଦିନ ଗ୍ରାମରେ ଥିବା ସମ୍ପର୍କୀୟ ପବନୀ ବେହେରାଙ୍କ ଘରକୁ ଯାଇଥିଲା। ତାଙ୍କ ଛାତ ଉପରେ ଖେଳୁଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ମୁନା ଧରିଦେଇଥିଲା। ଫଳରେ ହାତ ଦୁଇଟି ପୋଡ଼ିଯାଇଥିଲା। ଘଟଣାସ୍ଥଳରୁ ତାକୁ ଉଦ୍ଧାର କରି ପ୍ରଥମେ ଛତାବର ଡାକ୍ତରଖାନା ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁଣି ବୁର୍ଲା ବଡ଼ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନା। ତା’ ପରେ ପୁଣି ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତ ଜୁଲାଇ ୨୦ ତାରିଖରେ ଗୁରୁତର ମୁନାର ହାତ ଦୁଇଟିକୁ କଟାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପରିବାରବର୍ଗ ଓଡ଼ିଶା- ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଜାଣିବା ପରେ କୃତ୍ରିମ ହାତ ପାଇଁ ଦେବଗଡ଼ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ରୋମାଞ୍ଚ ରଂଜନ ବିଶ୍ଵାଳଙ୍କୁ ଜଣାଇଥିଲେ। ଏହା ପରେ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏଆର୍‌ସି ସହିତ ସମନ୍ଵୟ ରକ୍ଷା କରି ଗୁରୁବାର ତାଙ୍କୁ କୃତ୍ରିମ ହାତ ଯୋଗାଇ ଦିଆଯାଇଛି। ଏହି ସମୟରେ ଶ୍ରୀ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡା. ସତ୍ୟଜିତ୍ ଦାଶ, ବିଜେଡି ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଭବାନୀ ଶଙ୍କର ଦାସ ଏବଂ ଓଡ଼ିଶା-ମୋ ପରିବାର ଟିମ୍ ମଧ୍ୟ ଉପସ୍ଥିତ ଥିଲେ। କୃତ୍ରିମ ଅଙ୍ଗ ଲାଗିବା ପରେ ମୁନାଙ୍କ ମୁହଁରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe