ପୌରସଂସ୍ଥାର ଦାୟିତ୍ବହୀନତା: ସ୍ବର୍ଗଦ୍ବାରର ଦରପୋଡ଼ା ହାତ ପଡ଼ୁଛି ରାସ୍ତାରେ

ପୌରସଂସ୍ଥାର ଦାୟିତ୍ବହୀନତା: ସ୍ବର୍ଗଦ୍ବାରର ଦରପୋଡ଼ା ହାତ ପଡ଼ୁଛି ରାସ୍ତାରେ

ପୁରୀ: ସ୍ବର୍ଗଦ୍ବାରରୁ ଅଙ୍ଗାର ସ୍ଥାନାନ୍ତର ସମୟରେ ଦରପୋଡ଼ା ହାତଗୋଡ଼ ରାସ୍ତାରେ ପଡ଼ିବା ଘଟଣା ଆଜି ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଏହି ଦରପୋଡ଼ା ହାତଗୋଡ଼ ପଡ଼ିଥିବା ଦେଖି ଏହି ରାସ୍ତା ଦେଇ ଯାତାୟାତ କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ଥିବା ହୋଟେଲଗୁଡ଼ିକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରାକ୍ଟର୍‌ରେ ସ୍ବର୍ଗଦ୍ବାରର ବଳକା ମାତ୍ରାଧିକ ଅଙ୍ଗାରକୁ ନେଉଥିବା କର୍ମଚାରୀ ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

ପ୍ରକାଶ ଯେ ଯେବେଠାରୁ ସ୍ବର୍ଗଦ୍ବାର ପରିଚାଳନା ଦାୟିତ୍ବ ପୌରସଂସ୍ଥା ହାତରୁ ଜିଲ୍ଲା ପ୍ରଶାସନ ହାତକୁ ଯାଇଛି, ସେବେଠାରୁ ସ୍ବର୍ଗଦ୍ବାର ପ୍ରତି ପୌରସଂସ୍ଥାର ଅବହେଳା ମ‌ନୋଭାବ ରହୁଥିବା ପରିଲକ୍ଷିତ ହେଲାଣି। ସ୍ବର୍ଗଦ୍ବାରରେ ଶବଦାହ ପରେ ଏଠାରୁ ବାହାରୁଥିବା ବଳକା ଅଙ୍ଗାର ଓ ଅଳିଆକୁ ସଫେଇ ଦାୟିତ୍ବ ପୌରସଂସ୍ଥାକୁ ଦିଆଯାଇଛି। ଏହି ଅଙ୍ଗାରକୁ ସ‌ଫା କରିବା ପାଇଁ ପୌରସଂସ୍ଥା ଗୋଟିଏ ଟ୍ରାକ୍ଟର ଦେଇଥିବା ବେଳେ ଅଳିଆକୁ ସ୍ଥାନାନ୍ତର ଦାୟିତ୍ବ ସ୍ବର୍ଗଦ୍ବାର ସେବା କେନ୍ଦ୍ର ଦାୟିତ୍ବ ନେଇଛି। ଦିନକୁ ଗୋଟିଏ ଥର ମାତ୍ର ଏହି ବଳକା ଅଙ୍ଗାରକୁ ସ୍ଥାନାନ୍ତର କରାଯାଉଥିବାରୁ ଟ୍ରାକ୍ଟରରେ ଓଭରଲୋଡ଼ିଂ ନିଆଯାଉଛି। ଯେବେ ସ୍ବର୍ଗଦ୍ବାରରେ ଅଧିକ ସଂଖ୍ୟକ ଶବଦାହ ହୋଇଥାଏ, ସେତେବେଳେ ମଧ୍ୟ ଗୋଟିଏ ଟ୍ରିପ୍‌ ବଳକା ଅଙ୍ଗାରକୁ ନିଆଯାଇଥାଏ। ଫଳରେ ଟ୍ରାକ୍ଟରରୁ ଦରପୋଡ଼ା ହାତଗୋଡ଼ ରାସ୍ତାରେ ପଡ଼ିଗଡ଼ୁଛି। ଏପରିକି କୁକୁର ମଧ୍ୟ ଏହି ଦରପୋଡ଼ା ହାତକୁ ଟାଣିନେଇ ଖାଉଥିବାର ଦେଖିବାକୁ ମିଳିଛି।

ଲୋକମାନଙ୍କ ଭାବନାକୁ ଏଠାରେ କୁଠାରଘାତ କରାଯାଉଛି। ମୃତକଙ୍କ ପରିବାର ଲୋକେ ଅସ୍ଥି ନେଇ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଗଙ୍ଗାରେ ବସର୍ଜନ କରାଉଥିବା ବେଳେ ଏଠାରେ କୌଣସି ମୃତକଙ୍କ ଦରପୋଡ଼ା ଅସ୍ତିକୁ କୁକୁର ଖାଉଛି। ତେଣୁ ଏହି ମୁଖ୍ୟ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ସ୍ବର୍ଗଦ୍ବାର ସେବା‌କେନ୍ଦ୍ରର ସଂଯୋଜକ ସିଦ୍ଧାର୍ଥ ରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ପୌରସଂସ୍ଥାର ଯେଉଁ କର୍ମଚାରୀମାନଙ୍କୁ ଏହି ଦାୟିତ୍ବ ଦିଆଯାଇଛି ସେମାନେ ଅଧିକ ଯତ୍ନଶୀଳ ହେବାକୁ କୁହାଯିବ। ଆଗାମୀ ଦିନରେ ଏପ୍ରକାର ଅବ୍ୟବସ୍ଥା ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe