ଅଧୁରା ରହିଲା ମୁନିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ! ବାପା, ମା ଛେଉଣ୍ଡ ଭାଇଭଉଣୀଙ୍କ ଭବିଷ୍ୟତ ଅନ୍ଧାର

ଅଧୁରା ରହିଲା ମୁନିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ! ବାପା, ମା ଛେଉଣ୍ଡ ଭାଇଭଉଣୀଙ୍କ ଭବିଷ୍ୟତ ଅନ୍ଧାର

Freepik

ବିଶୋଇ: ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ହେଁ ମୁନି ମୁଣ୍ଡାଙ୍କ ଭଳି ଜଣେ ମେଧାବୀ ଛାତ୍ରୀ ଓ ତାଙ୍କ ଭାଇ ଶିକ୍ଷା ସୁବିଧାରୁ ବଞ୍ଚିତ ହୋଇଛନ୍ତି।

ବିଶୋଇ ବ୍ଲକ୍‌ ଖଡ଼ମବେଡ଼ା ପଞ୍ଚାୟତ ପାଳସିଡ଼ିହି ବୁଦ୍ଧିଆସାହିର ସ୍ୱର୍ଗତ ପ୍ରଧାନ ମୁଣ୍ଡା ଓ ପ୍ରମିଳା ମୁଣ୍ଡାଙ୍କ ପୁଅ ସାଗର (୧୭) ଓ ଝିଅ ମୁନି (୧୬)। ପିଲାଟି ଦିନରୁ ମା’ ପ୍ରମିଳାଙ୍କ ମୃତ୍ୟୁ ପରେ ମା’ଛେଉଣ୍ଡ ଭାଇଭଉଣୀଙ୍କ ଦାୟିତ୍ବ ବାପା ପ୍ରଧାନ ମୁଣ୍ଡା ସମ୍ଭାଳୁଥିଲେ। ଚାଷକାର୍ଯ୍ୟ ସହିତ ମୂଲମଜୁରି ଲାଗି ପିଲାଙ୍କୁ ପଢ଼ାଉଥିଲେ ବାପା ପ୍ରଧାନ। ତେବେ ଅଭାବ ଅନଟନ କାରଣରୁ ପୁଅ ସାଗର ପଞ୍ଚମ ଶ୍ରେଣୀରୁ ପାଠପଢ଼ା ଛାଡ଼ିଥିବାବେଳେ ଝିଅ ମୁନି ନିଜ ଗାଁ ଖଡ଼ମବେଡ଼ା ଆଶ୍ରମ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ ବେତନଟିସ୍ଥିତ ଖଡ଼ିଶୋଳ ଉଚ୍ଚବିଦ୍ୟାଳୟରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୩୭୩ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି।

ଅଭାବରେ ଥାଇ ବି ଉଚ୍ଚଶିକ୍ଷା ପାଇଁ କଲେଜରେ ଆଡମିସନ୍‌ ଫର୍ମ ଦାଖଲ କରିଥିଲା ମୁନି। ହେଲେ ଦୁର୍ଭାଗ୍ୟ, ଅଗଷ୍ଟ ୨୦ ତାରିଖରେ ବାପା ପ୍ରଧାନ ମୁଣ୍ଡାଙ୍କ ଅକାଳ ବିୟୋଗ ଭାଇଭଉଣୀଙ୍କୁ ହତବାକ୍ କରିଦେଇଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ମୁନିଙ୍କ କଲେଜ ପାଠପଢ଼ା ସ୍ୱପ୍ନ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କଲେଜରେ ଆଡମିସନ୍‌ ନିମନ୍ତେ ମୁନି ଚୟନ ହୋଇଥିଲେ ସୁଦ୍ଧା ଅର୍ଥାଭାବରୁ ଆଡମିସନ୍‌ କରି ପାରିନାହିଁ। ଯୁକ୍ତଦୁଇ ପାଠ୍ୟକ୍ରମ ଖର୍ଚ୍ଚ ବହନ ପାଇଁ ଭାଇ ସାଗର ସକ୍ଷମ ନଥିବାରୁ ମୁନିଙ୍କ ସବୁ ସ୍ୱପ୍ନ ଚୂର୍‌ମାର ହୋଇଯାଇଛି। ବାପାମା’ଙ୍କୁ ହରାଇ ଘର ଚାରିକାନ୍ଥ ଭିତରେ ଗୁମୁରି ଗୁମୁରି କାନ୍ଦୁଛି ମୁନି। କେବଳ ରାସନ୍‌ କାର୍ଡରେ ମିଳୁଥିବା ଚାଉଳକୁ ଛାଡ଼ିଦେଲେ ଭାଇଭଉଣୀଙ୍କ ପାଖରେ ଆଉ କିଛି ନାହିଁ। ସରପଞ୍ଚ, ସମିତି ସଭ୍ୟା, ୱାର୍ଡସଭ୍ୟଙ୍କ ସମେତ ଗ୍ରାମବାସୀ ଏ ସଂପର୍କରେ ବିଡିଓଙ୍କୁ ଜଣାଇ ତୁରନ୍ତ ଅନାଥ ଭାଇଭଉଣୀଙ୍କୁ ଥଇଥାନ କରିବା ସହ ସେମାନଙ୍କ ପାଠପଢ଼ା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe