ମୁରବିବିହୀନ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ: ସୁଜ୍ଞାନଙ୍କ ଅନୁପସ୍ଥିତି ଏବେ ବିଜେଡି ପାଇଁ ଚିନ୍ତା

Advertisment

ଅଡ଼ୁଆରେ ଛନ୍ଦିହୋଇଛନ୍ତି ବିଧାୟିକା

ଅଡ଼ୁଆରେ ଛନ୍ଦିହୋଇଛନ୍ତି ବିଧାୟିକା

ମୁରବିବିହୀନ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ: ସୁଜ୍ଞାନଙ୍କ ଅନୁପସ୍ଥିତି ଏବେ ବିଜେଡି ପାଇଁ ଚିନ୍ତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଜେଡିର ଅନ୍ୟତମ ସୁରକ୍ଷିତ ଗଡ଼ ଖଲ୍ଲିକୋଟ ଏବେ ମୁରବିବିହୀନ ହୋଇପଡ଼ିଛି। ଦୀର୍ଘ ଦୁଇଦଶନ୍ଧିରୁ ଅଧିକ ସମୟ ହେଲା ବିଜେଡି ଏହି ନିର୍ବାଚନମଣ୍ଡଳୀରେ ତା’ର ପତିଆରା ଜାହିର କରିଆସୁଥିଲା, ଯାହାର ନେତୃତ୍ବ ନେଇଥିଲେ ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓ। ତାଙ୍କ ବିୟୋଗ ପରେ ଏବେ ଖଲ୍ଲିକୋଟ ବିଜେଡି ପାଇଁ କିଏ ନିଷ୍ପତ୍ତି ଗ୍ରହଣ କରିବେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ରାଣୀସାହେବା ଶ୍ରୀମତୀ ଦେଓ ସର୍ବାଧିକ ୮ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଜନତା ଦଳ ପରେ ଗଠନ ହୋଇଥିବା ବିଜୁ ଜନତା ଦଳରୁ ସେ ୨୦୦୦ ଓ ୨୦୦୪ ଲଗାତାର ଦୁଇଥର ଏହି ନିର୍ବାଚନମଣ୍ଡଳୀରୁ ବିଧାୟିକା ହୋଇଥିଲେ। ଏହାପରେ ଖଲ୍ଲିକୋଟ ବିଧାନସଭା ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଯିବାରୁ ସୁଜ୍ଞାନ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତଥାପି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ରାଣୀସାହେବାଙ୍କ ନିଷ୍ପତ୍ତି ହିଁ ନିର୍ଦ୍ଦେଶ ଥିଲା ଓ ତାଙ୍କ ଲୋକପ୍ରିୟତା କମି ନଥିଲା।

ଏପରିକି ଯିଏ ତାଙ୍କ ଆଶୀର୍ବାଦ ପାଉଥିଲେ, ସେ ହିଁ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ହେଉଥିବା ନଜିର ରହିଛି। ଏବେ ତାଙ୍କ ଅନୁପସ୍ଥିତି ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ବର୍ତ୍ତମାନର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ଗ୍ରହଣ କରୁନାହାନ୍ତି। ଯାହାକୁ ନେଇ ବିଗତ ଦିନରେ ବିଧାୟିକାଙ୍କ ବିରୋଧରେ ଅସନ୍ତୁଷ୍ଟ ନେତା ଓ କର୍ମୀ ଖୋଲାଖୋଲି ସ୍ବରୋତ୍ତୋଳନ କରିବା ସହ ଭୁବନେଶ୍ୱର ନବୀନ ନିବାସ ରେ ପହଞ୍ଚିଥିଲେ। ଏହାପରେ ଖଲ୍ଲିକୋଟ ବିଧାୟିକାଙ୍କ ଅଡ଼ୁଆ ବଢ଼ିଛି। ସେପଟେ ତାଙ୍କ ସ୍ବାମୀ ତଥା ଖଲ୍ଲିକୋଟ ବ୍ଲକ୍‌ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ନାମରେ ‌ରୁଜୁ ହୋଇଥିବା ହତ୍ୟା ମାମଲା ବିଧାୟିକାଙ୍କ ପାଇଁ ଆଉ ଏକ ସମସ୍ୟା ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ବିଜେଡିରେ ଏକାଧିକ ନେତା ଏବେ ବିଧାୟକ ଆଶାୟୀ ତାଲିକାରେ ରହିଥିବା ବେଳେ ଦଳ କାହା ଉପରେ ଭରସା କରିବ ତାହା ସମୟ କହିବ। ବର୍ତ୍ତମାନ ଖଲ୍ଲିକୋଟବାସୀ ମଧ୍ୟ ରାଣୀସାହେବାଙ୍କ ଅନୁପସ୍ଥିତିକୁ ଅନୁଭବ କରିପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe