ପୁରୁଷୋତ୍ତମପୁର : ୨୦୦୧ ମସିହା ଗୁଜରାଟର ସୁରତ ସହର ପାଣ୍ଡେସର ଇଲାକାରେ ଘଟିଥିବା ଏକ ହତ୍ୟା ମାମଲାର ଫେରାର୍ ଅଭିଯୁକ୍ତକୁ ପୁଲିସ ୨୧ ବର୍ଷ ପରେ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଜଣକ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ସୁରତ ପୁଲିସର ଏକ ଟିମ୍ ତାକୁ ପୁରୁଷୋତ୍ତମପୁର ସହରରୁ ଗିରଫ କରିଛି। ଏନେଇ ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।
କବିସୂର୍ଯ୍ୟନଗର ଥାନା ବାଉଁଶିଆ ଗ୍ରାମର ମୂଳବାସିନ୍ଦା ଶଙ୍କର ୨୦୦୧ ମସିହାରେ ସୁରତରେ ରହୁଥିଲା। ପାଣ୍ଡେସର ଥାନା ଇଲାକାରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲା। ଏନେଇ ସେତେବେଳେ ପାଣ୍ଡେସର ଥାନାରେ କେସ୍ ନମ୍ବର ୩୬/୨୦୦୧ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ​ଗିରଫଦାରିକୁ ଏ​ଡ଼ାଇବା ପାଇଁ ଶଙ୍କର ନିଜ ଗାଁ ବାଉଁଶିଆ ଛାଡ଼ି ନିଜ ଶ୍ବଶୁର ଘର ପୁରୁଷୋତ୍ତମପୁର ଗଡ଼ସାହି ପଛପଟେ ନୂଆ କରି ଗଢ଼ି ଉଠିଥିବା ସାହିରେ ସାଧାରଣ ଲୋକ ଭଳି ରହୁଥିଲା।
ଦୀର୍ଘ ୨୧ ବର୍ଷ ପରେ ପାଣ୍ଡେସର ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ସ୍ଥାନୀୟ ପୁଲିସ ସହାୟତାରେ ଆଜି ସକାଳ ୯ଟାରେ ଶଙ୍କରକୁ ଗିରଫ କରିଥିଲା। ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ତାକୁ କନକାସାହିରେ ପୁଲିସ ଟିମ୍ କାବୁ କରିନେଇଥିଲା। ଶଙ୍କରକୁ ସୁରତ ନିଆଯିବ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
Follow Us