ନବ ଦାସ ହତ୍ୟା ମାମଲା: ଗୋପାଳ ବିରୋଧରେ ହେଲା ଚାର୍ଜଫ୍ରେମ୍‌, ଅକ୍ଟୋବର ୫ରେ ପରବର୍ତ୍ତୀ ଶୁଣାଣି

Advertisment
ନବ ଦାସ ହତ୍ୟା ମାମଲା: ଗୋପାଳ ବିରୋଧରେ ହେଲା ଚାର୍ଜଫ୍ରେମ୍‌, ଅକ୍ଟୋବର ୫ରେ ପରବର୍ତ୍ତୀ ଶୁଣାଣି

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର କଡ଼ା ସୁରକ୍ଷା ବଳୟରେ ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସ୍‌ଚାର୍ଜ ପିଟିସନର ଗୁରୁବାର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା। ଗୋପାଳ ନିଜକୁ ନିର୍ଦୋଷ କହିବା ସହ ସେ ତା’ର ଆଇନ୍‌ଜୀବୀଙ୍କ ସହାୟତାରେ ମାମଲା ଲଢ଼ିବାକୁ ପ୍ରସ୍ତୁତ ଥିବା କହିଥିଲା ବୋଲି ଆଇନଜୀବୀ ନରେଶ ନାୟକ କହିଛନ୍ତି।

ଗୁରୁବାର ଡିସଚାର୍ଜ ପିଟିସନ ଶୁଣାଣି ପୂର୍ବରୁ ଗୋପାଳର ମୁଖ୍ୟ ଆଇନଜୀବୀ ମହେଶ ଜେନା ଅନୁପସ୍ଥିତ ଥିବାରୁ କୋର୍ଟରେ ଟାଇମ ପିଟିସନ ଦାଖଲ ହୋଇଥିଲା। କୋର୍ଟ ଟାଇମ ପିଟିସନ ଗ୍ରହଣ କରି ନଥିବା ବେଳେ ଡିସଚାର୍ଜ ପିଟିସନ ଉପରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ ଉଭୟ ପକ୍ଷର ସମସ୍ତ ଦଲିଲ ଓ ତଥ୍ୟ ଉପରେ କୋର୍ଟରେ ଆଲୋଚନା ହୋଇଥିଲା। ଗୋପାଳ ଖାଉଥିବା ମାନସିକ ରୋଗର ଔଷଧ ସମ୍ପର୍କରେ ବି ଆଲୋଚନା ହୋଇଥିବା ଆଇନଜୀବୀ ଶ୍ରୀ ନାୟକ କହିଛନ୍ତି। ଆସନ୍ତା ଅକ୍ଟୋବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗୋପାଳର ମାନସିକ ରୋଗ ଥିବା ତଥା ଡାକ୍ତର ତାକୁ ଏବାବଦ ଔଷଧ ଖାଇବାକୁ ମଧ୍ୟ ପ୍ରେସକ୍ରାଇବ୍‌ କରିଥିବା ନେଇ ଚାର୍ଜସିଟ୍‌ରୁ ଜଣାପଡ଼ିଥିଲା। ଏହାରି ଆଧାରରେ ଗୋପାଳକୁ ଦୋଷମୁକ୍ତ କରିବା ପାଇଁ ତା’ର ଆଇନ୍‌ଜୀବୀ କୋର୍ଟରେ ଡିସଚାର୍ଜ ପିଟିସନ୍‌ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe