୧୭ ବର୍ଷ ପରେ ହତ୍ୟା ଅଭିଯୁକ୍ତ ଗିରଫ: ପାରୋଲ୍‌ରେ ଆସି ଫେରାର୍‌ ହୋଇଯାଇଥିଲା

ପରିଚୟ ବଦଳାଇ କଟକରେ ରହୁଥିଲା

କାଲଭମ-୬୨୫ ଓ ଅନ୍ୟ ନକଲି ଔଷଧ ମାମଲା: ବାରାଣାସୀରୁ କିଙ୍ଗ ପିନ୍‌ ସହିତ ୫ ଗିରଫ

Image Courtesy of The Quint

ପୁରୀ: ୧୯୯୫ ମସିହାରେ ନିଜ ସାନଭାଇଙ୍କୁ ହତ୍ୟା ପରେ ଗିରଫ ହୋଇଥିବା ବଡ଼ଭାଇ ପାରୋଲ୍‌ରେ ଆସି ଫେରାର ହୋଇଯାଇଥିଲା। କଟକରେ ନିଜ ପରିଚୟ ବଦଳାଇ ଛଦ୍ମବେଶରେ ରହୁଥିଲା। ଗତକାଲି ରାତିରେ ପୁରୀ ପୁଲିସ ହାବୁଡ଼ରେ ଧରାପଡ଼ିଯାଇଛି। କୁମ୍ଭାରପଡ଼ା ଥାନା ଆଇଆଇସି ଦିଲ୍ଲୀପ କୁମାର ସ୍ବାଇଁ ଗତକାଲି ରାତିରେ କଟକରେ ଚଢ଼ଉ କରି ଫେରାର୍‌ର ୧୭ ବର୍ଷ ପରେ ଅଭିଯୁକ୍ତକୁ ଗିରଫ ପରେ ଆଜି କୋର୍ଟଚାଲାଣ କରିଛନ୍ତି। ଏହିଭଳି ଘଟଣା ପୁରୀରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି।

ଗିରଫ ଅଭିଯୁକ୍ତ ହେଲା, ଟୁଟୁ ଓରଫ ଶିବନାରାୟଣ ଦାସ। ସୂଚନା ଅନୁସାରେ, ଶିବ ଓ ତା’ ଭାଇ କାର୍ତ୍ତିକ ଦାସ ମିଶି କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ହେରାଗୋହିରୀସାହିର ବସନ୍ତ କୁମାର ଦାସଙ୍କ ପୁଅ ବୁଟୁ ଦାସଙ୍କୁ ତାଙ୍କ ମା’ଙ୍କ ସମ୍ମୁଖରେ ହତ୍ୟା କରିଥିଲେ। ଏହି ମାମଲାରେ ଅଦାଲତ ଦୁଇ ଭାଇ କାର୍ତ୍ତିକ ଓ ଟୁଟୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ମାତ୍ର, ୨୦୦୬ ମସିହାରେ ଟୁଟୁର ଜଣେ ସମ୍ପର୍କୀୟ ମୃତ୍ୟୁବରଣ କରିଥିବାରୁ ସେ ଦରଖାସ୍ତ ଦେଇ ଜେଲ୍‌ରୁ ୧୫ ଦିନ ପାଇଁ ପାରୋଲ୍‌ରେ ଆସିଥିଲା। କିନ୍ତୁ, ସେ ଆଉ ଜେଲ୍‌କୁ ନଯାଇ ପୁରୀରୁ ଫେରାର ହୋଇଯାଇଥିଲା।ଏହାପରେ ସେ କଟକର ଥୋରିଆ ବଜାର ଅଞ୍ଚଳରେ ଏକ ସରକାରୀ ଜମିରେ କୁଡ଼ିଆଟିଏ କରି ସେଠାରେ ଆତ୍ମଗୋପନ କରିଥିଲା। ସେଠାରେ ସେ ନିଜର ପରିଚୟ ବଦଳାଇ ଶିବାନୀ ଦାସ ନାମରେ ନିଜ ପତ୍ନୀ ସହ ରହୁଥିଲା। ଏପରିକି ସେ କଟକରେ ଶିବାନୀ ନାମରେ ନିଜର ଆଧାର କାର୍ଡ ମଧ୍ୟ କରିଥିଲା। ଏପଟେ ପୁଲିସ ତାକୁ ନପାଇ ଫେରାର ବୋଲି ଦର୍ଶାଇ କୋର୍ଟକୁ ଜଣାଇଥିଲା।

ହେଲେ, ଚୋର ଘରେ ସବୁଦିନ ଅନ୍ଧାର ନଥାଏ ଭଳି ଏକ ଗଣ୍ଡଗୋଳ ଘଟଣା ପରେ ଜଣେ ଯୁବକ ଟୁଟୁ ସମ୍ପର୍କରେ ଆର୍‌ଟିଆରେ ତଥ୍ୟ ମାଗିଥିଲେ। ଏହାପରେ କୁମ୍ଭାରପଡ଼ା ଥାନା ଆଇଆଇସି ଶ୍ରୀ ସ୍ବାଇଁ କଟକର ଥୋରିଆସାହିରେ ଚଢ଼ଉ କରି ଟୁଟୁକୁ ଧରିଥିଲେ। ମାତ୍ର, ଟୁଟୁ ନିଜର ପ୍ରକୃତ ପରିଚୟ ନଦେଇ ନିଜକୁ ଶିବାନୀ ବୋଲି କହିଥିଲା। ଏହାପରେ ପୁଲିସ ଟୁଟୁକୁ ପୁରୀକୁ ଆଣି ତାଙ୍କ ପରିବାର ଲୋକ ଓ ସାହିବାସିନ୍ଦାଙ୍କୁ ଦେଖା କରାଇବାରୁ ସେମାନେ ତାକୁ ଚିହ୍ନଟ କରିଥିଲେ। ଆଜି ପୁଲିସ ଟୁଟୁକୁ ଗିରଫ ପରେ ଆଜି କୋର୍ଟଚାଲାଣ କରିଛି। ସାନଭାଇ ବୁଟୁଙ୍କୁ ହତ୍ୟା କରିବା ସମୟରେ ଟୁଟୁକୁ ୪୦ ବର୍ଷ ହୋଇଥିବା ବେଳେ ଏବେ ୬୭ ବର୍ଷ ବୟସରେ ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe