୧୨ ଦିନ ଯାଇନି, ବୁର୍ଲାରେ ପୁଣି ହତ୍ୟାକାଣ୍ଡ : ଯୁବକଙ୍କୁ ମାରି ଗଛରେ ଟାଙ୍ଗିଦେଲେ!

Advertisment
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଜଣେ ଅଟକ

Democratic Accent

ସମ୍ବଲପୁର : ଗତ ୧୦ ତାରିଖରେ ସହରରେ ହୋଇଥିବା ଡବଲ ମର୍ଡର ଘଟଣା ଲୋକଙ୍କ ମନରୁ ନଲିଭୁଣୁ ରବିବାର ପୁଣି ଜଣେ ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମିର୍ଦ୍ଧାପଡ଼ାର ଅନିରୁଦ୍ଧ ପଞ୍ଚବିହାର(୩୨)। ଅନିରୁଦ୍ଧଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ବୁର୍ଲା ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚିଛି। ଅନିରୁଦ୍ଧଙ୍କୁ ବନ୍ଧା ଯାଇଥିବା ଗାମୁଛାକୁ ଜବତ କରିଛି। ବୁର୍ଲା ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସମୟରେ ଖବର ଲେଖାହେବା ଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅନିରୁଦ୍ଧ ଗତ ଶୁକ୍ରବାର ରାତି ୮ଟାରେ ଘରୁ ବାହାରି ଆଉ ଫେରିନଥିଲେ। ଶନିବାର ଦିନତମାମ୍‌ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ନପାଇବାରୁ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ରବିବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଘରଠାରୁ ୭ଶହ ମିଟର ଦୂର ମିର୍ଦ୍ଧାପଡ଼ାର କ୍ଷେତ ଭିତରେ ରହିଥିବା ଏକ ଗଛରେ ଅନିରୁଦ୍ଧଙ୍କ ଶବ ଟଙ୍ଗା ହୋଇଥିବା ଲୋକେ ଦେଖିବାକୁ ପାଇଥିଲେ। ଶବର ଆଣ୍ଠୁ ଭାଙ୍ଗି ମାଟିରେ ଲାଗିଥିବା ସମୟରେ ବେକକୁ ଏକ ଗାମୁଛାରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ଲୋକେ ପୁଲିସ୍‌କୁ ସୂଚନା ଦେଇଥିଲେ ହେଁ ୨ ଘଣ୍ଟା ଯାଏ ପୁଲିସ୍‌ ନଆସିବାରୁ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ବୁର୍ଲା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶବ ଜବତ କରିଥିଲା। ସାଧାରଣତଃ ଆତ୍ମହତ୍ୟା ସମୟରେ ବେକରେ ଯେଉଁଭଳି ଦାଗ ସୃଷ୍ଟି ହୋଇଥାଏ ଅନିରୁଦ୍ଧଙ୍କ ମାମଲାରେ ଦାଗଟି ଭିନ୍ନ ପ୍ରକାର ରହିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe