ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ କନେଷ୍ଟବଳଙ୍କ ଥାନାରେ ଆତ୍ମସମର୍ପଣ

Advertisment
ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ କନେଷ୍ଟବଳଙ୍କ ଥାନାରେ ଆତ୍ମସମର୍ପଣ

ଗୁଣପୁର: ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ଗୁଣପୁର ସହରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗତ ୬ ମାସ ମଧ୍ୟରେ ସହରରେ ଏହା ତୃତୀୟ ହତ୍ୟାକାଣ୍ଡ । ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟିକା ସାହିର ଠିକାଦାର ଅଶୋକ କୁମାର ବରାଡ଼ଙ୍କ ଶବକୁ ଉପଖଣ୍ଡ ଡାକ୍ତରଖାନାରେ ଠାବ କରାଯାଇଛି। ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ଲୋକେଶ ବରାଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଖବର ନେବାରୁ ଜଣାପଡ଼ିଛି ଯେ ଗତକାଲି ସନ୍ଧ୍ୟାରେ ଠିକାଦାର ଅଶୋକ ପୁଅ ପାଖକୁ ଫୋନ କରି ୩୫ ହଜାର ଟଙ୍କା କରଜ ନେଇଥିବା ଜଣାଇଥିଲେ। ଏଥିପାଇଁ ତାଙ୍କୁ ବନ୍ଧକ ରଖିଥିବା ନେଇ ଦୁର୍ବୃତ୍ତମାନେ ପୁଅକୁ କହିଥିଲେ। ଟଙ୍କା ଧରି ତୁରନ୍ତ କାଶୀନଗର ଆସିବାକୁ ନିର୍ଦେଶ ଦେଇଥିଲେ। ପୁଅ ଲକେଶ ଟଙ୍କା ନେଇ କାଶୀନଗରରେ ପହଞ୍ଚି ବନ୍ଧକ ରଖିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ବାପା ଅଶୋକଙ୍କ ସହ ଗୁଣପୁରରେ ଥିବା ଜଣାଇଥିଲେ। ସେଠାରୁ ପୁଅ ଲୋକେଶ ଗୁଣପୁରରେ ପହଞ୍ଚି ଆଉଥରେ ଯୋଗାଯୋଗ କରିବାରୁ ଡାକ୍ତରଖାନାକୁ ଯିବାକୁ କହିଥିଲେ। ପୁଅ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଅନୁସନ୍ଧାନ କରିବାରୁ ବାପା ଅଶୋକଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ କେଉଁ ପରିସ୍ଥିତିରେ ଏବଂ କିଏ ଡାକ୍ତରଖାନାକୁ ଆଣିଥିଲେ ସ୍ପଷ୍ଟ ହୋଇନାହିଁ। ମୃତ ଅଶୋକଙ୍କ ଶବ ବ୍ୟବଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ଘଟଣାର ତଦନ୍ତ କରାଯିବ ବୋଲି ଗୁଣପୁର ଆଦର୍ଶଥାନା ଆଇଆଇସି ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଗତକାଲି ହତ୍ୟାକାଣ୍ଡ ଘଟାଇ ଭାମିନି ଆଇଆରବି ବାଟାଲିଆନରେ କାର୍ଯ୍ୟରତ ଦୁଇ ଜଣ କନେଷ୍ଟବଳ ଏମ ଚିନାବାବୁ ଓ ଗୋପୀନାଥ କୌଶଲ୍ୟା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଗୁଣପୁର ରେଳ ଷ୍ଟେସନରେ ଜଳ ଯୋଗାଣ ବିଭାଗରେ ଠିକା କାମ କରୁଥିବା ଅଶୋକ ବରାଡ଼ ୩୫ ହଜାର ଟଙ୍କା କେମିତି ବାକି ହେଲା ଏବଂ ହତ୍ୟାକାଣ୍ଡ କାହିଁକି ଘଟିଲା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ଗତ ମେ ମାସରେ ଆଶା ସଂସ୍ଥାର ନିର୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳି କରି ସୁପାରି କିଲର ରାଜେଶ ହତ୍ୟା କରିଥିଲା। ଏହାର ସପ୍ତାହକ ପରେ ସୁପାରି କିଲର ରାଜେଶକୁ ପରବର୍ତ୍ତୀ ସମୟରେ ବିଶାଖାପାଟଣାରେ ହତ୍ୟା କରିଥିଲେ। ଗତକାଲିର ଆଉ ଏକ ହତ୍ୟାକାଣ୍ଡ ଗୁଣପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe