ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ନବରଙ୍ଗପୁର: ନବରଙ୍ଗପୁର ଆର.ଓ ଯିବା ରାସ୍ତା ସାହିଲ ହୋଟେଲ ନିକଟରେ ଗତକାଲି ରାତିରେ ସେକ ନିଜାମ ନାମକ ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ହତ୍ୟା କରାଯାଇଥିଲା। ୬ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ଖଣ୍ଡା, କାତି, ଲୁହା ଛଡ଼ ଧରି ଯୁବକଙ୍କୁ ବିଚ ରାସ୍ତାରେ ମାରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଗୁରୁତରଜଣକ ପଡି ଛଟପଟ ହେଉଥିବା ଲୋକେ ଦେଖିବା ପରେ ପୁଲିସକୁ ଫୋନ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଆଣିଥିଲା। ଗୁରୁତରଙ୍କ ଡାହାଣ ହାତକୁ ଦୁର୍ବୃତ୍ତମାନେ ଖଣ୍ଡରେ କାଟିଥିବା ବେଳେ ଗୋଡ଼, ପେଟ, ଛାତି, ପିଠି,ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା।

ନବରଙ୍ଗପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ସେକ ନିଜାମଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ବେଳେ ରାତି ପ୍ରାୟ ୧ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ନବରଙ୍ଗପୁର ଥାନା ଆଗରେ ରାତି ପ୍ରାୟ ୧.୩୦ ଘଣ୍ଟା ଠାରୁ ଭୋର ଘ.୫.୩୦ ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥରେ ଶବ ରଖି ରାସ୍ତାରୋକ କରିଥିଲେ ଲୋକେ। ପରେ ମାଝିଗୁଡା ଛକକୁ ଶବକୁ ନେଇ ରାସ୍ତାରୋକ ଚାଲିଥିଲା।

publive-image

ସକାଳ ପ୍ରାୟ ଘ.୮.୩୦ ରେ ରାସ୍ତାରୋକ ସ୍ଥଳରେ ଏଡିଏମ୍ ଭାସ୍କର ରଇତ ଓ ଅତିରିକ୍ତ ଏସପି ପହଞ୍ଚି ହତ୍ୟାକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତୁରନ୍ତ ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବା ବେଳେ ପରିବାର ଲୋକେ ସନ୍ଦେହ କରୁଥିବା ଅନ୍ୟ ସନ୍ଦିଗ୍ଧ ଯୁବକମାନଙ୍କୁ ମଧ୍ୟ ଆଣି ତଦନ୍ତ କରାଯିବ ଓ ତୁରନ୍ତ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ପରେ ଶେଷରେ ରାସ୍ତାରୋକ ହଟିଥିଲା। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ମେଡିକାଲକୁ ପଠାଯାଇଥିଲା। ଫଳରେ ରାସ୍ତା ଦେଇ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି ।

ଘଟଣା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଗୁରୁତର ସେକ ନିଜାମଙ୍କ ଭାଇ ପ୍ରକାଶ କରିଛନ୍ତି। ଏହିଭଳି ଶତ୍ରୁତା ରହିଥିବା ଓ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ରହିଥିବା ନେଇ ପୂର୍ବରୁ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏହିଭଳି ଘଟଣା ଘଟିଥିବା ନେଇ ନିଜାମଙ୍କ ଭାଇ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe