ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: ୪ ଜଣ ଥାନାରେ ଅଟକ

Advertisment
ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: ୪ ଜଣ ଥାନାରେ ଅଟକ

ରାଉରକେଲା: ଯୁବତୀଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡ଼ର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋ​ଝେଇ ଟ୍ରକ ଉପରେ ଫିଙ୍ଗି ଦିଆଯାଇଛି। ମୃତ ଯୁବକ ଜଣକ ହେ​ଲେ ଦେବଗଡ଼ ଜିଲ୍ଲା ହାତୀଶାଳସାହିର ଶ୍ରୀନିବାସ ରାଓ (୨୮)। ସେ ରାଉରକେଲା ଗୋପବନ୍ଧୁପାଲୀର ଏକ ଘର ଭଡା ନେଇ ରହୁଥିଲେ। ରାୟଗଡ ପୁଲିସର ସୂଚନା ଆଧାରରେ ଆଜି ପ୍ଲାଣ୍ଯସାଇଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ପହଞ୍ଚି ଯୁବକଙ୍କ ଶବ ଜବତ କରି ରାଉରକେଲା ଆଣୁଛି। ହତ୍ୟା ଘଟଣାରେ ପୁଲିସ ୪ ଜଣକୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ତଦନ୍ତର ବାଧା ଦୃଷ୍ଟିରୁ ପୁଲିସ ହତ୍ୟା ଘଟଣା ସଂକ୍ରାନ୍ତରେ କିଛି କହିବାକୁ ମନା କରି ଦେଇଛନ୍ତି। ହତ୍ୟାକାରୀ ଗିରଫ ପରେ ହତ୍ୟା ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି।

ଏହି ହତ୍ୟାକାଣ୍ଡ କେବଳ ରାଉରକେଲା ସହର ନୁହେଁ ଦେବଗଡ଼ରେ ବି ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ମୁତବାକ ଦେବଗଡ ହାତୀଶାଳସାହିର ଶ୍ରୀନିବାସ ରାୟଙ୍କ ଘର। ଗତ କିଛି ବର୍ଷ ତଳେ ରାଉରକେଲା ସହରକୁ ଆସି ସେ ମଙ୍ଗଳଭବନର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ କପଡା ଦୋକାନରେ କାମ କରୁଥିଲେ। ପ୍ରଥମେ ସେକ୍ଟର-୨୧ସ୍ଥ ନୟାବଜାରେ ଏକ ଭଡାଘରେ ରହୁଥିଲେ। ପରେ ଗୋପବନ୍ଧୁପାଲୀ ଅଞ୍ଚଳରେ ଆସି ରହିଥିଲେ। ସେକ୍ଟର-୨୧ ନୟାବଜାର ରହୁଥିଲାବେଳେ ବନ୍ଧମୁଣ୍ଡା ରୋଡ ଫଟାପାଇପ୍‌ ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ଯୁବତୀଙ୍କ ପରିବାର ଲୋକ କଡା ବିରୋଧ କରୁଥିଲେ। ଯୁବତୀ ପରିବାରଙ୍କ ବାରଣସତ୍ବେ ଶ୍ରୀନିବାସ ଯୁବତୀଙ୍କୁ ଭଲ ପାଉଥିଲେ।

ଘଟଣାକ୍ରମେ ଗତ ୨୪ ତାରିଖରେ ଶ୍ରୀନିବାସ ନିଖୋଜ ହୋଇଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ଶ୍ରୀନିବାସୀଙ୍କୁ କେହି ଅପହରଣ କରି ନେଇଥିବା ପରିବାର ଲୋକ ପୁଣି ଥାନାରେ ଏତଲା ଦେଇଥିଲେ। ପରିବାରଲୋକଙ୍କ ଲିଖିତ ଏତଲା ଆଧାରରେ ପୁଲିସ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଆଜି ସକାଳୁ ରାୟଗଡ଼ ପୁଲିସ କୋଇଲା ବୋଝେଇ ଟ୍ରକ ଉପରେ ଶ୍ରୀନିବାସଙ୍କ ଶବ ପଡ଼ିଥିବା ଦେଖି ରାଉରକେଲା ପୁଲିସକୁ ସୂଚନା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe