ଦାଦାର କଟାମୁଣ୍ଡ ଧରି ଫାଣ୍ଡିକୁ ଗଲା ପୁତୁରା

ପୂର୍ବ ଶତ୍ରୁତାରୁ ଦାଦାକୁ ହାଣିଛି ପୁତୁରା। ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ପରେ କଟାମୁଣ୍ଡ ଧରି ଫାଣ୍ଡିରେ ଆତ୍ମସମର୍ପଣ କରିଛି। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ତଳକଇଁସାରି ଗାଁରେ ଘଟିଛି ଏହି ଘଟଣା।

ssdsd

କେନ୍ଦୁଝର/ପଦ୍ମପୁର: ପୂର୍ବ ଶତ୍ରୁତାରୁ ଦାଦାକୁ ହାଣିଛି ପୁତୁରା। ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ପରେ କଟାମୁଣ୍ଡ ଧରି ଫାଣ୍ଡିରେ ଆତ୍ମସମର୍ପଣ କରିଛି। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ତଳକଇଁସାରି ଗାଁରେ ଘଟିଛି ଏହି ଘଟଣା। ପୁଲିସ ଅଭିଯୁକ୍ତ କବି ଦେହୁରୀ (୩୫)କୁ ଗିରଫ କରି କୋର୍ଟଚାଲାଣ କରିଛି। ତଳକଇଁସାରି ଗ୍ରାମର ହରି ଦେହୁରୀ (୫୧)ଙ୍କ ପରିବାର କହିଲେ ପତ୍ନୀ ଓ ଚାରିଝିଅ। ନିଜର ପୁଅ ନଥିବାରୁ ପୁତୁରା କବିକୁ ‌ସେ ପୁଅ ପରି ସ୍ନେହ କରୁଥିଲେ। ହରିଙ୍କ ଜାଗାରେ କବି ଘର କରି ରହୁଥିଲେ। ବର୍ଷେ ତଳେ ହରି ଝିଅ ବାହାଘର କରିଥିଲେ। ବାହାଘରକୁ ଆସିନଥିଲା କବି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଗତକାଲି ରାତିରେ ତଳକଇଁସାରି ଗ୍ରାମର ମହୁଲପଦାସାହିରେ ଦଣ୍ଡନାଚ ହେଉଥିଲା। ନାଚ ଦେଖିବାକୁ ହରି  ଓ କବି ଯାଇଥିଲେ। ସେଠାରୁ ଫେରିବା ବାଟରେ ହରିଙ୍କୁ ଅତି ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁତୁରା କବି। ଏହାପରେ କଟାମୁଣ୍ଡକୁ ଏକ ଜରି ବ୍ୟାଗ୍‌ରେ ପୂରାଇ ଶୁଆକାଟି ଫାଣ୍ଡିରେ ପହଞ୍ଚିଥିଲା। ଆଜି ସକାଳେ ଶୁଆକାଟି ଫାଣ୍ତିରେ ମୃତକଙ୍କ ଭାଇ ଅର୍ଜୁନ ଦେହୁରୀ ଅଭିଯୋଗ କରିବା ପରେ କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ କୁମାର ଭୂୟାଁ, ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ କଟାମୁଣ୍ଡ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତକୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ମୃତକଙ୍କ ସ୍ତ୍ରୀ ସୁକାନ୍ତି ଦେହୁରୀ, ଝିଅ ଶ୍ରୀମତୀ, ସଞ୍ଜିତା, ଭାଇ ଅର୍ଜୁନ, ତଳକଇଁସାରି ସରପଞ୍ଚ ଶକୁନ୍ତଳା ଦେହୁରୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe