Photo: Representation
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ଶନିବାର ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତାଙ୍କ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ଗୋଲାମୁଣ୍ଡା ଥାନା ଖସିଗୁଡ଼ା ଗାଁର ହରି ଲହଜଲକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ଅନୁସାରେ, ଖସିଗୁଡ଼ା ଗାଁର ହରି ତାଙ୍କ ସ୍ତ୍ରୀ ରଜନୀଙ୍କୁ ଯୌତୁକ ଦାବିରେ ନିର୍ଯାତନା ଦେଇ ଆସୁଥିଲା। ୨୯.୪.୨୦୧୮ ତାରିଖ ଦିନ ଏକ ଶାଢ଼ିରେ ରଜନୀଙ୍କ ତଣ୍ଟି ଚିପି ହରି ହତ୍ୟା କରିଥିଲା। ଏ ସଂପର୍କରେ ରଜନୀଙ୍କ କାକା ଧନଞ୍ଜୟ ବନ୍ଦିଛୋଡ଼ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ ନଂ ୫୫/୨୦୧୮ ରୁଜୁ କରି ଅଭିଯୁକ୍ତ ହରି ଲହଜଲ (୩୦)କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଶନିବାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ହରିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ଏହି ମାମଲା ପରିଚାଳନା କରିଥିଲେ।
Follow Us