ପୁତୁରା ଆକ୍ରମଣରେ ପିଉସାର ମୃତ୍ୟୁ ଅଭିଯୋଗ, ଜମିଜମା ବିବାଦକୁ ନେଇ ପୂର୍ବରୁ ଲାଗି ରହିଥିଲା ଶତ୍ରୁତା

ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମ୍‌ର ଯାଞ୍ଚ

ପୁତୁରା ଆକ୍ରମଣରେ ପିଉସାର ମୃତ୍ୟୁ ଅଭିଯୋଗ, ଜମିଜମା ବିବାଦକୁ ନେଇ ପୂର୍ବରୁ ଲାଗି ରହିଥିଲା ଶତ୍ରୁତା

ଭଞ୍ଜନଗର: ନିଜ ପୁତୁରାର କାଠ ମେଢ଼ା ଆକ୍ରମଣରେ ପିଉସାର ମୃତ୍ୟୁ ଅଭିଯୋଗ। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଗାୟଗଣ୍ଡା ପଞ୍ଚାୟତ‌ର ମହୁଲ ପାଟଣା ଗ୍ରାମର କୃଷ୍ଣ ଖିଲାର(୬୫)ଙ୍କୁ  ତାର ପୁତୁରା କାଠ ମେଢାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କୃଷ୍ଣଙ୍କ ପୁଅ ଭଞ୍ଜ ଖିଲାର ଏନେଇ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାର ଏତଲା ପ୍ରକାରେ ତାରସିଂ ଥାନାରେ କେସ୍‌ ନମ୍ବର ୨୮୯ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ସହ ସନ୍ଧାନୀ କୁକୁର ଚପଲ ଶୁଙ୍ଘି ଅଭିଯୁକ୍ତ ପୁତୁରା ଘର ପାଖକୁ ଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଚନ୍ଦ୍ର ଶେଖର ବେହେରା ପ୍ରକାଶ କରିଛନ୍ତି। ଯାଞ୍ଚ ପରେ ମୃତଦେହକୁ ଭଞ୍ଜନଗର ମେଡିକାଲ୍‌କୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢଉ କରିଛି।

ଖଜୁରିପଲ୍ଲୀ ରାସ୍ତାର ଏକ ବିଲ ଭିତରେ କୃଷ୍ଣଙ୍କ ମୃତୁଦେହ ପଡିଥିବା ବେଳେ ଆଜି ପୁଲିସ୍‌ ତାକୁ ଉଦ୍ଧାର କରିଛି। ସେଠାରୁ ଏକ ହଳ ଚପଲ ଜବତ କରିବା ସହ ‌ହତ୍ୟାକାଣ୍ଡରେ ବ୍ୟବହୃତ କାଠ ମେଢାକୁ ମଧ୍ୟ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ‌ବେହେରା ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, କୃଷ୍ଣ ‌ଏବଂ ତାଙ୍କ ପୁତୁରାଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିଜମାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଗତକାଲି ସଂନ୍ଧ୍ୟା ସମୟରେ ଅଭିଯୁକ୍ତ ପୁତୁରା କୃଷ୍ଣର ଘରକୁ ଆସି କୃଷ୍ଣ ଏବଂ ତାର ପୁଅ ଭଞ୍ଜ ବିଷୟରେ ପଚାରିବା ସହ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା।

ଏହି ସମୟରେ କୃଷ୍ଣ ଗାଈ ଚରାଇବାକୁ ଯାଇଥିବା ‌ବେଳେ ଖଜୁରୀପଲ୍ଲୀ ରାସ୍ତାର ଏକ ବିଲ ଭିତରେ ତାକୁ ଏକ କାଠ ମେଢାରେ ପିଟିପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କୃ‌ଷ୍ଣ ବିଲ ଭିତରେ ଅଧା ପାଣିରେ ବୁଡ଼ି ରହିଥିବା ବେଳେ ତାଙ୍କର କାନ ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକ ଜାଣିବା ପରେ ପୁଲିସ୍‌କୁ ଜଣାଇଥିଲେ। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ରହିଥିବା ବେଳେ ପୁଲିସ୍‌ ବିଭିନ୍ନ ଯାଗାରେ ଚଢଉ ଜାରି ରଖିଛି। ଅତିଶ୍ରୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe