ଗୁଣିଆ ସନ୍ଦେହରେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଦମ୍ପତିଙ୍କୁ ହାଣିଲେ, ୧୬ ଅଟକ

ଗୁଣିଆ ସନ୍ଦେହରେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଦମ୍ପତିଙ୍କୁ ହାଣିଲେ, ୧୬ ଅଟକ

ମୋହନା/ଅଡ଼ବା: ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ପଞ୍ଚାୟତର ଘୋଡ଼ାପଙ୍କା ଗ୍ରାମରେ ଗୁଣିଆ ସନ୍ଦେହରେ ସୋମବାର ରାତିରେ ଘଟିଯାଇଛି ନରକୀୟ କାଣ୍ଡ। ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଏକ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଘର ଭିତରେ ପଶି ପ୍ରଥମେ ସ୍ବାମୀକୁ ହାଣି ହତ୍ୟ‌ା କରିଥିଲେ। ଖବର ପାଇ ଘରକୁ ଫେରୁଥିବା ପତ୍ନୀକୁ ଏହାପରେ ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଲ୍ଲିକ (୪୫) ଓ ତାଙ୍କ ପତ୍ନୀ ଶଶିତା ମଲ୍ଲିକ (୪୦)। ଗୁଣିଗାରେଡ଼ି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ହତ୍ୟା କରା ଯାଇଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି। ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ପୁଲିସ କେସ୍‌ ନଂ ୧୪୨/୨୩ରେ ମାମଲା ରୁଜୁ କରିବା ସହ ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରା.ଉଦୟଗିରି ଏସଡିପିଓ ଅଶ୍ୱିନୀ କୁମାର ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ କପିଳେନ୍ଦ୍ର ଘରେ ଥିବା ସମୟରେ ପ୍ରଥମେ କିଛି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ସ୍ବାମୀଙ୍କୁ କିଛି ଲୋକ ହାଣି ଦେଇଥିବା ଖବର ପାଇ ବାହାରକୁ ଯାଇଥିବା ଶଶିତା ଘରକୁ ଆସୁଥିବା ବେଳେ ଗାଁ ରାସ୍ତାରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଶଶିତା ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉପରସାହିକୁ ଦୌଡ଼ି ପଳାଇଥିଲେ ବି ରାସ୍ତାରେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ବେଳକୁ ସେଠାରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ମୁତାବକ, ଗତ ଫେବ୍ରୁଆରି ମାସରେ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ସେ ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ସେତେବେଳେ ଗୁଣି ସନ୍ଦେହରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ କପିଳେନ୍ଦ୍ର ଅଡ଼ବା ଥାନାରେ ଅଭିଯୋଗ କରିଥିଲେ। ଏହାପ‌ରେ ସେ କିଛିଦିନ ଧରି ଗାଁ ଛାଡ଼ି ଅଡ଼ବାରେ ରହୁଥିଲେ। ପୁଣି ଗାଁକୁ ଫେରିଥିବା ବେଳେ ବେଳେ ଗତକାଲି ତାଙ୍କୁ ହତ୍ୟା କରାଯାଇଛି। ପୂର୍ବ ମାମଲାର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସଂଘବଦ୍ଧ ଆକ୍ରମଣ କରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଗଜପତି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏବେ ବି ଗୁଣିଗାରେଡ଼ି ଉପରେ ଲୋକଙ୍କ ବିଶ୍ବାସ ବସା ବାନ୍ଧି ରହିଥିବା ଏବଂ ଅନେକେ ଔଷଧ ବଦଳରେ ଝଡ଼ାଫୁଙ୍କା ଓ ଚେରମୂଳ ଉପଚାର ଉପରେ ବିଶ୍ବାସ କରୁଥିବା ନୂଆ କଥା ନୁହେଁ। କେତେବେଳେ କାହାର ଅଚାନକ ମୃତ୍ୟୁ ଘଟିଲେ ଗୁଣିଆ ସନ୍ଦେହ କରି ପ୍ରତିଶୋଧ ନେବାକୁ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ପୁଲିସ ସବୁ ସମୟରେ ସଭାସମିତି କରି ସଚେତନ କରୁଥିଲେ ମଧ୍ୟ ଲୋକଙ୍କ ମନରୁ ଏବେ ବି ଅନ୍ଧବିଶ୍ବାସ ହଟିନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe