ନୂଆପଡ଼ା ଏସ୍‌ପିଙ୍କ ବାସଭବନ ଆଗରେ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ

ନୂଆପଡ଼ା ଏସ୍‌ପିଙ୍କ ସରକାରୀ ବାସଭବନ ଆଗରେ ରବିବାର ଜଣେ ୮୦ ବର୍ଷର ବୃଦ୍ଧଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

murder22

ନୂଆପଡ଼ା: ନୂଆପଡ଼ା ଏସ୍‌ପିଙ୍କ ସରକାରୀ ବାସଭବନ ଆଗରେ ରବିବାର ଜଣେ ୮୦ ବର୍ଷର ବୃଦ୍ଧଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମା ସିରତୋଲ ବସ୍ତିର ଶୁକଲାଲ ସାହୁଙ୍କ ଚାଷଜମି ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅଛି। ପ୍ରତିଦିନ ଭଳି ରବିବାର ଭୋର୍‌ ୪ଟାରେ ଶୁକଲାଲ ଚାଷଜମିରୁ ମହୁଲ ଗୋଟାଇବା ପାଇଁ ସ୍ତ୍ରୀ ଫୁଲେଶ୍ୱରୀଙ୍କ ସହ ଯାଉଥିଲେ। ଠିକ୍‌ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିବ‌ା ବେଳେ ପୂର୍ବରୁ ଛପି ରହିଥିବା ଏକାଧିକ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ଏହା ଦେଖି ସ୍ତ୍ରୀ ଫୁଲେଶ୍ବରୀ ଭୟରେ ପଳାଇ ଯାଇଥିଲେ।

ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ଗେଟ୍‌ ସମ୍ମୁଖରେ ଥିବା ସୁରକ୍ଷାକର୍ମୀ ବାହାରିଲା ବେଳକୁ ହତ୍ୟାକାରୀ ସେଠାରୁ ଚମ୍ପଟ ମାରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶୁକଲାଲ ତଳେ ପଡ଼ି ଚିତ୍କାର କରୁଥିବା ଦେଖି ଲୋକେ ପୁଲିସ ଓ ଆମ୍ବୁଲାନ୍‌ସକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଏସ୍‌ପି ଜି. ଆର୍‌. ରାଘବେନ୍ଦ୍ର ଏବଂ ନୂଆପଡ଼ା ଥାନାଧିକାରୀ ଗଙ୍ଗାଧର ମେହେର ଡଗ୍‌ସ୍କ୍ବାଡ୍‌ ସହ ପହଞ୍ଚି ତଦନ୍ତ କରିଛନ୍ତି। ମୃତକଙ୍କ ମୁଣ୍ଡ ଓ କାନ୍ଧର ବିଭିନ୍ନ ଅଂଶରେ ଗଭୀର କ୍ଷତ ଦେଖିବାକୁ ମିଳିଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଜଣେ ବୃଦ୍ଧଙ୍କୁ ଏଭଳି ନିର୍ମମ 

ହତ୍ୟା କରାଯିବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୂର୍ବ ଶତ୍ରୁତାକୁ ନେଇ ଶୁକଲାଲଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ତେବେ ହତ୍ୟାକାଣ୍ଡ ସ୍ଥଳ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ପରିସର ବାହାରେ ରହିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି। ଖୁବ୍‌ଶୀଘ୍ର ହତ୍ୟାକାରୀମାନଙ୍କୁ ଧରାଯିବ ବୋଲି ଥାନାଧିକାରୀ ଶ୍ରୀ ମେହେର କହିଛନ୍ତି। ଅପରପକ୍ଷରେ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe