ମାଲକାନଗିରି : ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଗିରଫ

timesof india

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡ଼ି ନେଇ ଅନ୍ଧବିଶ୍ବାସ ଥମିବାର ନାଁ ନେଉନି। ଆଜି ଗୁଣିଗାରେଡ଼ି ସଂଦେହରେ ଆଜି ପୁଣି ଜଣଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ମାଲକନଗିରି ଥାନା ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମରେ।

ଗତ ୬ ବର୍ଷ ତଳେ ଗ୍ରାମର ରାମା ସୋଡ଼ିଙ୍କ ପୁଅର ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। ସେ ସମୟରେ ଗୁଣି କରି ତାଙ୍କ ପୁଅକୁ ମାରିଥିବା ନେଇ ଗାଁର ମୁକା ମାଡ଼କାମୀ ଉପରେ ରାମାଙ୍କ ପରିବାର ଲୋକ ସନ୍ଦେହ କରିଥିଲେ। ହେଲେ ପାଖରେ କିଛି ପ୍ରମାଣ ନ ଥିବାରୁ ମୁକାଙ୍କୁ କେହି କିଛି କହି ନ ଥିଲେ। ଏବେ ପୁଣି ଗତ କିଛିଦିନ ହେଲା ରାମାଙ୍କ ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ମୁକା ତାଙ୍କୁ ଗୁଣି କରିଥିବା ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ଫଳରେ ରାମା ଯୋଜନାବଦ୍ଧ ଭାବେ ମୁକା ଶୋଇଥିବାବେଳେ ଏକ ଧାନକଟା ଦାଆରେ ତାଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ଏନେଇ ପୁଲିସ ଖବର ପାଇବା ପରେ ଆଇଆଇସି ରାମ ପ୍ରସାଦ ନାଗ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ରାମା ସୋଡ଼ିଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ଜିଲ୍ଲାରେ ଗୁଣିଗାରେଡ଼ି ନେଇ ପୁଲିସ ଗତ ସପ୍ତାହେ ଧରି ଜିଲ୍ଲା ସାରା ସଚେତନତା କାର୍ଯ୍ୟକ୍ରମ କରିଥିଲେ ହେଁ ଏହାର ପ୍ରଭାବ ଲୋକଙ୍କ ଉପରେ ଲେଶ ମାତ୍ର ପଡ଼ି ନ ଥିବା ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉପଯୁକ୍ତ ଶିକ୍ଷା ଦୀକ୍ଷାର ଅଭାବ ପାଇଁ ଲୋକେ ଆଜି ବି ଅନ୍ଧବିଶ୍ବାସର ଅନ୍ଧଗଳିରୁ ମୁକୁଳି ପାରୁନାହାନ୍ତି। ଫଳରେ ଗୁଣିଗାରେଡ଼ି ସନ୍ଦେହରେ ଜିଲ୍ଲାରେ ଗଡ଼ିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନିରୀହ ଲୋକଙ୍କ ମୁଣ୍ଡ। ତେଣୁ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe