ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡ: କକାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା

ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡ: କକାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା

କୁଆମରା/ଉଦଳା-୧ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାରଜମଡ଼ିହି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। କଟୁରୀରେ ହାଣି ନିଜ କକାର ମୁଣ୍ଡକୁ କାଟି ଦେଇଛି ପୁତୁରା। ଏହି ନାରକୀୟ କାଣ୍ଡ ଘଟାଇ ଗାଁ ଦାଣ୍ଡରେ ବୁଲୁଥିବା ହତ୍ୟାକାରୀକୁ ପୁଲିସ ଗିରଫ କରିଛି।

ସୂଚନା ମୁତାବକ, ସାରଜମିଡ଼ିହି ଗ୍ରାମର ଟାଙ୍ଗୁରୁ ସିଂ (୬୦) ଓ ପୁତୁରା ବାପୁନ ସିଂ (୨୧) ଶୁକ୍ରବାର ସନ୍ଧ୍ୟାରେ ଘରେ ଏକାଠି ବସି ନିଶା ସେବନ କରିଥିଲେ। ଉଭୟ ନିଶାରେ ଚୁର୍‌ ହୋଇଯିବା ପରେ ଗୁଣିଗାରେଡ଼ି କଥାକୁ ନେଇ କକା-ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟାଙ୍ଗୁରୁ ଗୁଣିଗାରେଡ଼ି କରୁଥିବାରୁ ତା’ ଘରେ ଥିବା ପିଲାମାନଙ୍କର ଦେହ ଖରାପ ହେଉଛି ବୋଲି ଦୋଷା‌ରୋପ କରିଥିଲା ବାପୁନ। ତେବେ ଏହା ମନଗଢ଼ା କଥା ବୋଲି ଟାଙ୍ଗୁରୁ ବାରମ୍ବାର ଦୋହରାଇବାରୁ ବାପୁନ ଉତ୍‌କ୍ଷିପ୍ତ ହୋଇ ନିଜ ଅଣ୍ଟାରେ ଖୋସିଥିବା ଏକ ଧାରୁଆ କଟୁରିରେ ଟାଙ୍ଗୁରୁଙ୍କ ମୁଣ୍ଡକୁ ହାଣି ଅଲଗା କରି ଦେଇଥିଲା। ଏହି ଘଟଣା ସମୟରେ ଟାଙ୍ଗୁରୁଙ୍କ ପରିବାର ତଥା ଆଖପାଖ ଲୋକେ ସ୍ଥାନୀୟ ଫୁଟବଲ୍‌ ପଡ଼ିଆକୁ ଖେଳ ଦେଖିବାକୁ ଯାଇଥିଲେ। ଖେଳ ଦେଖି ଫେରିବା ବେଳକୁ ଘର ଆଗରେ ସ୍ବାମୀଙ୍କ ମୁଣ୍ଡବିହୀନ ମୃତଦେହ ଦେଖି ଚମକି ପଡ଼ିଥିଲେ ପତ୍ନୀ ଗୁରୁବାରୀ। ଖବର ପାଇ ପୁଲିସ ପହଞ୍ଚି ଛାନ୍‌ଭିନ୍‌ କରିବା ସହ ଗାଁ ଦାଣ୍ଡରେ ବୁଲୁଥିବା ବାପୁନୁକୁ କାବୁ କରି ନେଇଥିଲା। ରାତି ହୋଇ ଯାଇଥିବାରୁ ଶବକୁ ସେଠାରେ ଜଗି ରହିଥିଲା ପୁଲିସ।

ଶନିବାର ସକାଳେ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍ ସହ ଖୋଦ୍‌ ଏସ୍‌ପି ରିଷିକେଷ ଦ୍ୟାନଦେଓ ଖିଲାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗତକାଲି ଅଟକ ଥିବା ବାପୁନକୁ ଆଜି କୋର୍ଟ ଚାଲାଣ କରିଛି। ଏ ନେଇ ୩୧୯/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe