ହତ୍ୟାର ପ୍ରତିଶୋଧ ହତ୍ୟାରେ: ବାଇକ୍‌ରେ ଯାଉଥିବା ଯୁବକଙ୍କୁ ହାଣିଦେଲେ

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ଏଚ୍‌.ବାହାଡ଼ାପଲ୍ଲୀରେ ୧୧ ଦିନ ବ୍ୟବଧାନରେ ଆଉ ଏକ ମୁଣ୍ଡ ଗଡ଼ିଛି। ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।

murder22

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ଏଚ୍‌.ବାହାଡ଼ାପଲ୍ଲୀରେ ୧୧ ଦିନ ବ୍ୟବଧାନରେ ଆଉ ଏକ ମୁଣ୍ଡ ଗଡ଼ିଛି। ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବାଇକ୍‌ ଚଳାଇ ଯାଉଥିବା ବେଳେ ଏଚ୍‌.ବାହାଡ଼ାପଲ୍ଲୀ ଛକ ନିକଟରେ ତାଙ୍କୁ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଆର୍‌.ବାହାଡ଼ାପଲ୍ଲୀ ଗ୍ରାମର ଅଗାଧୁ ପ୍ରଧାନଙ୍କ ପୁଅ ପି.ଅଭିମନ୍ୟୁ ପ୍ରଧାନ(୫୫)। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିମନ୍ୟୁଙ୍କ ଭାଇ ସନ୍ନ୍ୟାସୀ ପ୍ରଧାନଙ୍କ ଅଭିଯୋଗ କ୍ରମେ କେସ୍‌ ନମ୍ବର ୬୯୧/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ଅଭିମନ୍ୟୁ ଆଜି ସକାଳେ ରମ୍ଭା ସହରରୁ ମାର୍କେଟିଂ ସାରି ବାଇକ୍‌ (ଓଆର୍‌ ୦୭ଏ ୧୪୧୪) ଯୋଗେ ନିଜ ଘରକୁ ଫେରୁଥିଲେ। ଦୁର୍ବୃତ୍ତମାନେ ପୂର୍ବ ଯୋଜନା ମୁତାବକ ଏଚ୍‌.ବାହାଡ଼ାପଲ୍ଲୀ ଛକରେ ଅଭିମନ୍ୟୁଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଅଭିମନ୍ୟୁଙ୍କ ମୁଣ୍ଡରେ ଖଣ୍ଡା ଚୋଟ ବାଜିବାରୁ ସେ ତଳେ ପଡ଼ି ଯାଇଥିଲେ। ବିଚ୍‌ ରାସ୍ତାରେ ରକ୍ତାକ୍ତ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର କରିଥିଲେ। ରମ୍ଭା ଥାନା ଅଧିକାରୀ କୁମାର ମୁଦୁଲି,ଏସ୍‌ଆଇ ଧରିତ୍ରୀ ବିଶ୍ୱାଳଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହାୟତରେ ପୁଲିସ ବିଭିନ୍ନ ଦିଗରୁ ପ୍ରମାଣ ସଂଗ୍ରହ କରିଛି। ପ୍ରତିଶୋଧ ନେବାକୁ ଯାଇ ଦୁର୍ବୃତ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। କାରଣ ଗତ ୨ ତାରିଖରେ ଆର୍‌.ବାହାଡ଼ାପଲ୍ଲୀ ଗ୍ରାମର ବି.ମନୁ ପ୍ରଧାନଙ୍କୁ ସାବୁଳିଆ ରେଳ ଫାଟକ ନିକଟରେ ହାଣି ହତ୍ୟା କରାଯାଇଥିଲା। ଏହି ଘଟଣା ପଛରେ ଅଭିମନ୍ୟୁ ଗୋଷ୍ଠୀର ସଦସ୍ୟ ସାମିଲ ଥିଲେ। ଏହାର ଜବାବ ଦେବାକୁ ଯାଇ ବିରୋଧୀ ଗୋଷ୍ଠୀ ଅଭିମନ୍ୟୁଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆର୍‌.ବାହାଡ଼ାପଲ୍ଲୀ ଗାଁରେ ଉତ୍ତେଜନା ଲାଗି ରହିଛି। ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡ଼େଇ ଗାଁରେ ଉପସ୍ଥିତ ରହିଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ୩ ସେକ୍ସନ୍‌ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe