ସମ୍ବଲପୁର ସହରରେ ପୁଣି ହତ୍ୟା, ଭୁଜାଲି ମାଡ଼ରେ ଜଣେ ମୃତ

Advertisment
ସମ୍ବଲପୁର ସହରରେ ପୁଣି ହତ୍ୟା, ଭୁଜାଲି ମାଡ଼ରେ ଜଣେ ମୃତ

ସମ୍ବଲପୁର: ରବିବାର ସଂଧ୍ୟାରେ ସମ୍ବଲପୁର ସହରରେ ପୁଣି ଏକ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସନ୍ଧ୍ୟା ୮ଟା ୧୦ରେ ଟାଉନ୍ ଥାନା ଅନ୍ତର୍ଗତ ସଞ୍ଜିବନୀ ନର୍ସିଂହୋମ୍ ନିକଟରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଦିପଡ଼ାର ମିଟୁ ଓରଫ ଭୀମସେନ ଗୁରୁ (୪୫)ଙ୍କୁ ଭୁଜାଲି ମାଡ଼ କରି ହତ୍ୟା କରାଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମିଟୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମିଟୁଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାସ୍ଥଳକୁ ଯାଇ ପୁଲିସ୍ ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଖବର ଲେଖାହେବା ଯାଏ ମିଟୁଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମିଳିପାରିନି। ସଦର ଏସ୍ଡିପିଓ ତପନ ମହାନ୍ତି, ଟାଉନ୍ ଥାନା ଅଧିକାରୀ ରମେଶ ଦୋରା ଓ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେଉଁ ସ୍ଥାନରେ ମିଟୁକୁ ଭୁଜାଲି ଭୁସି ହତ୍ୟା କରାଯାଇଛି ସେହି ଦୋକାନ ପରିସର ରକ୍ତ ରଞ୍ଜିତ ହୋଇଯାଇଛି। ସୋମବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବ। ଏହାପରେ ମିଟୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ମିଟୁ ନିଜର ଏକ ସହଯୋଗୀ ସହ ମିଶି ସଞ୍ଜିବନୀ ନର୍ସିଂହୋମ୍ ନିକଟସ୍ଥ ଗୁଡ୍ଡୁ ଚା’ ଦୋକାନକୁ ଯାଇଥିଲେ। ସେଠାରେ ଉଭୟେ ବସି ଚା’ ପିଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଏକ ଲୁହା ପାଇପ୍ରେ ମିଟୁ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲେ। ମିଟୁ ତଳେ ପଡ଼ିଯିବା ପରେ ତାଙ୍କ ଛାତି, ପେଟ ଓ ବେକମୁଣ୍ଡାରେ ଭୁଜାଲି ମାଡ଼ କରି ଦୁର୍ବୃତ୍ତମାନେ କ୍ଷେତରାଜପୁର ରେଳ ଷ୍ଟେସନ୍ ପଟକୁ ଫେରାର୍ ମାରିଥିଲେ। ଦୂରରେ ଥାଇ ଲୋକେ ଏହି ଘଟଣା ଦେଖୁଥିଲେ ସୁଦ୍ଧା ଆକ୍ରମଣକାରୀ ମାରଣାସ୍ତ୍ର ଧରି ଉପସ୍ଥିତ ଥିବାରୁ କେହି ପାଖକୁ ଯିବାକୁ ସାହସ କରି ନଥିଲେ। ଶେଷରେ ସେମାନେ ଯିବା ପରେ କିଛି ଯୁବକ ରକ୍ତାକ୍ତ ଅବସ୍ଥାରେ ମିଟୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe