ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ; ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ବଶୁର ମୃତ, ଅଭିଯୁକ୍ତ ଅଟକ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

କଙ୍କଡ଼ାହାଡ଼: କଙ୍କଡ଼ାହାଡ଼ ବ୍ଲକ୍‌ ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ଗୁଡ଼ି ସାହିରେ ସାମାନ୍ୟ ବଚସାକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପର୍ଶୁରାମ ବାରିକ(୬୦)।

ସୂଚନା ମୁତାବକ, ପଙ୍ଗାତିରା ଗ୍ରାମ ଗୁଡ଼ି ସାହିର ପର୍ଶୁରାମ ବାରିକଙ୍କ ସାନ ଝିଅ ସୁଲୋଚନା ସେହି ସାହିର ରମଣ ବେହେରା(୩୫)ଙ୍କୁ ଦଶବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ରମଣ ସୁଲୋଚନାଙ୍କୁ ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ଜାଣିବା ପରେ ପର୍ଶୁରାମ ଓ ତାଙ୍କ ସ୍ତ୍ରୀ ବୁଝାସୁଝା ପାଇଁ ରମଣଙ୍କ ଘରକୁ ଯାଇଥିଲେ। ତେବେ ଜ୍ୱାଇଁ ରମଣ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ପରେ ଉତ୍ତ୍ୟକ୍ତ ହୋ‌ଇ ଏକ ଟାଙ୍ଗିଆରେ ପର୍ଶୁରାମଙ୍କୁ ଆକ୍ରମଣ କରିଥିଲେ। ଏଥିରେ ପର୍ଶୁରାମଙ୍କ ବେକ ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ପର୍ଶୁରାମଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଅଭିଯୁକ୍ତ ରମଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ମହାବିରୋଡ଼ ଫାଣ୍ଡି ଓ ପର୍ଜଙ୍ଗ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଆଜି ଅପରାହ୍ଣ ୨ଟା ବେଳେ ଅଭିଯୁକ୍ତ ରମଣ ଗ୍ରାମ ନିକଟ ଜଙ୍ଗଲରେ ଲୁଚି ରହିଥିବା ବେଳେ ପୁଲିସ ତାକୁ ଧରି ମହାବିରୋଡ଼ ଫାଣ୍ଡିରେ ଅଟକ ରହି ପଚରାଉଚରା ଚଳାଇଛି। ଏ ସମ୍ପର୍କରେ ପର୍ଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ ଘଟଣା ସଂପର୍କରେ ତଦନ୍ତ ଜାରି ରହିଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe