ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଦିନଦି’ପରରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ରାଛିପୁର ଛକ ନିକଟରେ ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟା କରାଯାଇଛି। ଜଣେ ଦୁର୍ବୃତ୍ତ ଯୋଗମାୟା ଜେନା( ୩୦) ନାମ୍ନୀ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଅତ୍ୟନ୍ତ ଅମାନୁଷିକ ଭାବେ ଦୁର୍ବୃତ୍ତ ଜଣକ ଚୋଟ ପରେ ଚୋଟ ମାରି ଶିକ୍ଷୟିତ୍ରୀଙ୍କୁ ଗୁରୁତର କରିବା ପରେ ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।
ସୂଚନା ଅନୁସାରେ, ମୃତ ଶିକ୍ଷୟିତ୍ରୀ ନେଲିବାରିସ୍କୁଲରୁ ଅନ୍ୟ ଜଣେ ଶିକ୍ଷକ ମୋହିନୀମୋହନ ମୁଦୁଲିଙ୍କ ସହ ଚାଲି ଚାଲି ଫେରୁଥିବା ବେଳେ ଉଭୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲା। ଶିକ୍ଷୟିତ୍ରୀ ଏବଂ ତାଙ୍କର ସହକର୍ମୀ ଦୁର୍ବୃତ୍ତକୁ ବାଧା ଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାଫଳରେ ଦୁର୍ବୃତ୍ତର ଆକ୍ରମଣରେ ଘଟଣାସ୍ଥଳରେ ଶିକ୍ଷୟିତ୍ରୀ ଯୋଗମାୟା ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ଶିକ୍ଷକ ମୋହିନୀମୋହନ ମୁଦୁଲି ଗରୁତର ହୋଇଥିଲେ। ଗୁରୁତର ଆହତ ଶିକ୍ଷକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଂକଟଜନକ ହେବା କାରଣରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଣେ ଅଭିଯୁକ୍ତ ଫେରାର୍ ହୋଇଥିବା ଜଣାଯାଇଛି। ଘଟଣାସ୍ଥଳରେ ଯାଜପୁର ଏସପି ପହଞ୍ଚି ଅନୁସନ୍ଧାନ କରିଛନ୍ତି।
Follow Us