Image Courtesy of India Today
ଯଶିପୁର/ପଦ୍ମପୁର: ଯଶିପୁର ଥାନା ରରୁଆଁ ବ୍ଲକ ନିଉନ୍ତୀ ପଞ୍ଚାୟତ ଝାଡ଼ବେଡା ଡ୍ୟାମ୍ ନିକଟରେ ନିଛାଟିଆ ବୁଦାମୂଳରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ପରିଚୟ ଏଯାଏ ମିଳିପାରି ନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଆଜି ସକାଳେ ଝାଡ଼ବେଡ଼ା ଡ୍ୟାମ୍ ନିକଟରେ ଏକ ନିଛାଟିଆ ବୁଦାମୂଳରେ ୩୫ ବର୍ଷର ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଗାଁଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ।
ଯଶିପୁର ଥାନାଧିକାରୀ ପଞ୍ଚାନନ ମହାନ୍ତି, ଉପଖଣ୍ଡ ଥାନାଧିକାରୀ ସୁଦର୍ଶନ ଗାଙ୍ଗୋଇ, ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି। ମୃତକଙ୍କ ଶରୀରର ପେଟ, ଅଣ୍ଟା, ଛାତି, ପାପୁଲି, କାନ୍ଧ, ମୁହଁରେ ଗଭୀର କ୍ଷତଚିହ୍ନ ଦେଖିବାକୁ ମିଳିଛି। ମୁହଁକୁ ଏକ ଗାମୁଛାରେ ବନ୍ଧାଯାଇଛି। ନିକଟରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରାଥମିକ ତଦନ୍ତରୁ ଏହାଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରିଛି। ଏ ନେଇ ଯଶିପୁର ଥାନାରେ କେସ୍ ନମ୍ବର ୨୮୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
Follow Us