ଗୁଣି ସନ୍ଦେହରେ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ

ଦେଢ଼ ମାସ ପରେ ମାଟି ତଳୁ ମିଳିଲା ଶବ, ୪ ଅଟକ

ନାଗପୁରରେ ଆତଙ୍କ, ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଟେଲର୍‌ଙ୍କ ଆତ୍ମହତ୍ୟା

Times Now

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ଼ ଗ୍ରାମର ଦିବ୍ୟାଙ୍ଗ ବୃଦ୍ଧା ସାଇବାଣୀ ମଲ୍ଲିକ ଦେଢ଼ ମାସ ହେଲା ନିଖୋଜ ଥିଲେ। ଆଜି ତାଙ୍କ ଗଳିତ ଶବ ଘଞ୍ଚ ଜଙ୍ଗଲରୁ ମାଟି ତଳୁ ଉଦ୍ଧାର କରାଯାଇଛି। ଗୁଣିଆ ସନ୍ଦେହରେ ହିଁ ଗ୍ରାମର କିଛି ବ୍ୟକ୍ତି ଘରେ ପଶି ତାଙ୍କୁ ହତ୍ୟା କରିବା ପରେ ଶବକୁ ମାଟିରେ ଖୋଳି ପୋତି ଦେଇଥିଲେ। ଗାଁ ଲୋକଙ୍କ ଜାଣତରେ ହିଁ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏହା ଚାଞ୍ଚଲ୍ୟ ସୃ‌ଷ୍ଟି କରିଛି।

ଦିବ୍ୟାଙ୍ଗ ସାଇବାଣୀ ଗତ ମାସ ୮ ତାରିଖରୁ ଘରୁ ହଠାତ୍ ନିଖୋଜ ହୋଇଯାଇଥିଲେ। ୧୦ ତାରିଖରେ ନୂଆବନ୍ଧପଲ୍ଲୀ ଗାଁରେ ରହୁଥିବା ସାଇବାଣୀଙ୍କ ଝିଆରୀ ହେମ ତାଙ୍କ ଘରକୁ ଆସିଥିବା ବେଳେ କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ। ପିଉସୀ ନାନୀ ସାଇବାଣୀଙ୍କ ବିଷୟରେ ସାହି ପ‌ଡ଼ୋଶୀଙ୍କୁ ପଚାରି ଥିଲେ ବି କିଛି ଉତ୍ତର ମିଳି ନଥିଲା। ଏନେଇ ହେମ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ନିଖୋଜ ମାମଲା ରୁଜୁ ହୋଇଥିଲା।

‌ଦେଢ଼ ମାସ ହେଲା ପୁଲିସ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ପରେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ସାଇବାଣୀ ଅବିବାହିତ ଥିବା ବେଳେ ସେ ନିଜକୁ ଦେବୀଙ୍କ ସାଧକ ଭାବେ ଗାଁରେ ପରିଚିତ କରାଇଥିଲେ। ଝଡ଼ାଫୁଙ୍କା ମଧ୍ୟ କରୁଥିଲେ। ହେଲେ ଗତ କିଛି ବର୍ଷ ମଧ୍ୟରେ ଗାଁର ଅନେକ ଶିଶୁ ଓ କିଛି ମହିଳା ବିଭିନ୍ନ ରୋଗରେ ମୃତ୍ୟୁବରଣ କରୁଥିବାରୁ ଗୁଣିଗାରେଡ଼ି ଯୋଗୁଁ ଏସବୁ ଘଟୁଥିବା ସନ୍ଦେହ କରିଥିଲେ। ଏଥିପାଇଁ କିଛି ଗ୍ରାମବାସୀ ଜଣେ ତାନ୍ତ୍ରିକଙ୍କୁ ଡକାଇ ଗୁଣିଆ ଚିହ୍ନଟ ପାଇଁ ସହାୟତା ନେଇଥିଲେ। ଗାଁରେ ଜଣେ ମହିଳା ହିଁ ତନ୍ତ୍ର ବିଦ୍ୟା କରୁଛନ୍ତି ବୋଲି ତାନ୍ତ୍ରିକ କହିବା ପରେ ସାଇବାଣୀଙ୍କ ଉପରେ ସମସ୍ତଙ୍କ ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା। ପରେ ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଗାଁର କିଛି ଯୁବକଙ୍କୁ ପଚରାଉଚରା କରିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ହତ୍ୟା କରି ସାଇବାଣୀଙ୍କ ଶବକୁ ଜଙ୍ଗଲରେ ପୋତାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।

ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ଚିକିଟି ଏସ୍‌ଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏବଂ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ନିଘଞ୍ଚ ଜଙ୍ଗଲରୁ ମାଟି ତଳୁ ସାଇବାଣୀଙ୍କ ଶବକୁ ଉଦ୍ଧାର କରାଯାଇଛି। ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ହେମଙ୍କ ଦ୍ବିତୀୟ ଏତଲାକୁ ଭିତ୍ତି କରି କେସ୍ ନମ୍ବର ୨୭୮ ଅନୁସାରେ ହତ୍ୟା ମାମଲା ରୁଜୁ ସହ ୪ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe