ଦାନଗଦୀ/ଟମକା: ଯାଜପୁର ଜିଲ୍ଲା ଟମକା ଥାନା କିଆଝର ପଞ୍ଚାୟତ ଚମ୍ପାଝର ଗାଁରେ ଘଟିଛି ଅମାନୁଷିକ କାଣ୍ଡ। ରବିବାର ରାତିରେ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ସାବତ ମା’ (୪୦)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଟମକା ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବାପରେ ମୃତ ସଧାଏ ହେମ୍ବ୍ରମ (୫୫)ଙ୍କ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଅଭିଯୁକ୍ତ ପୁଅ ଲୁଗୁ ହେମ୍ବ୍ରମ (୨୮)କୁ ପୁଲିସ ଗିରଫ କରିଛି। ଦାନଗଦୀ ଡାକ୍ତରଖାନାରେ ପୀଡ଼ିତା ଓ ଲୁଗୁଙ୍କ ଡାକ୍ତରୀ ମାଇନା କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସା​ରେ ଗତକାଲି ରାତିରେ ସ୍ଵାମୀ ସଧାଏଙ୍କ ସହିତ ବସି କଥା ହେଉଥିଲେ। ବାପା କିଛି ନଜଣାଇ ଜମି ବିକ୍ରି କରି ଦେଇଥିବାରୁ ପୁଅ ଲୁଗୁ ହେମ୍ବ୍ରମ (୨୮) ରାଗି ଯାଇଥିଲା। ନିଶାସକ୍ତ ଅବସ୍ଥାରେ ପହଞ୍ଚି ବାପା ଓ ସାବତ ମା’ଙ୍କୁ ଗାଳିଗୁଲଜ କରିଥିଲା। ସେମାନେ ପ୍ରତିବାଦ କରିବାରୁ ହଠାତ୍ ଉତ୍କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ବାପା ସଧାଏଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏତିକିରେ ରାଗ ଥମି ନଥିଲା। ଏହାପରେ ସାବତ ମା’ଙ୍କୁ ଦୁଷ୍କର୍ମ କରିଥିଲା। ଅଭିଯୋଗ ପାଇଲା ପରେ ଟମକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ଏ ସଂକ୍ରାନ୍ତରେ ଟମକା ଥାନାରେ କେସ ନଂ ୩୨/୨୩ ରୁଜୁ କରି ୩୦୨, ୩୭୬ ଦଫାରେ ତଦନ୍ତ କରାଯାଉଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତର ପତ୍ନୀ ଓ ଦୁଇ ପୁଅଝିଅ ଅଛନ୍ତି।
Follow Us