DNA India
କୁହିକା/ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଦୁଧୁଯୋରୀ ପଞ୍ଚାୟତ ମଙ୍ଗଳପୁରଠାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁବୋଳ ମୁଣ୍ଡାସାହିର ରାଜୁ ଚାମ୍ପିଆ (୩୯)ଙ୍କ ମୃତଦେହକୁ ମଙ୍ଗଳପୁର କାଠମିଲ୍ ସାହି ପଛପଟ ପରିତ୍ୟକ୍ତ ରୁଙ୍ଗୁରୁଙ୍ଗା କେନାଲ ଭିତରେ ଫିଙ୍ଗି ଦେଇଥିଲେ ହତ୍ୟାକାରୀ। ତାଙ୍କର ଗୁପ୍ତାଙ୍ଗ କଟା ହୋଇଥିଲା। ଆଜି ସକାଳ ପ୍ରାୟ ସାଢ଼େ ୮ ଟାରେ ସ୍ଥାନୀୟ ଲୋକେ ମୃତଦେହ ଦେଖି ସୁକିନ୍ଦା ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୁକିନ୍ଦା ଥାନାଧିକାରୀ କାବୁଲି ବାରିକଙ୍କ ନେତୃତ୍ବରେ ଏସଆଇ ହରିଶ୍ଚନ୍ଦ୍ର ସିଂ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲଭରିୟାସ ଟପ୍ପୋ ଓ ପରେ ଯାଜପୁର ଏସପି ରାହୁଲ ପିଆର ପହଞ୍ଚି ଘଟଣାସ୍ଥଳ ଦେଖିଥିଲେ। ସାଇଣ୍ଟିଫିକ ଟିମ୍ ମଧ୍ୟ ତନାଘନା କରିଛି। ମୃତ ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଥିଲା। ଗୁପ୍ତାଙ୍ଗ କଟା ହେବା ସହ ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁସାରେ ରାଜୁଙ୍କ ପ୍ରଥମ ପତ୍ନୀ ୮/୯ ବର୍ଷ ତଳେ ତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ (୧୪) ଓ ଗୋଟିଏ ଝିଅ ଅଛନ୍ତି। ପ୍ରଥମ ପତ୍ନୀ ପୈତୃକ ଘର କେନ୍ଦୁଝରରେ ଅନ୍ୟଜଣଙ୍କୁ ବିବାହ କରି ନିଜଝିଅକୁ ନେଇ ରହୁଥିବା ସୂଚନା ମିଳିଛି। ପୁଅ ପୁବୋଳରେ ରହୁଥିବା ଜଣାପଡ଼ିଛି। ପ୍ରାୟ ୩ ବର୍ଷ ତଳେ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ କରଡ଼ାଗାଡ଼ିଆ (ଝରଣାସାହି)ର କୁନି ଚାମ୍ପିଆ (୩୩)ଙ୍କୁ ରାଜୁ ଦ୍ଵିତୀୟ ବିବାହ କରି ଶଶୁରଘରେ ରହୁଥିଲେ। ଗତକାଲି ସେ କୁନିଙ୍କ ସହ ନିଜ ଗ୍ରାମ ପୁବୋଳକୁ ଆସିଥିଲେ। ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପଡ଼ୋଶୀ ଓ ପରିବାର ଲୋକେ ପ୍ରକାଶ କରିଛନ୍ତି। ହଠାତ ଆଜି ସକାଳୁ ରାଜୁଙ୍କ ମୃତଦେହ ମିଳିବାପରେ ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ସନ୍ଦେହ ଘନୀଭୂତ ହୋଇଛି। ପୁଲିସ ତଦନ୍ତ ବେଳେ ପତ୍ନୀ କୁନି ପୈତୃକ ଘରେ ମଧ୍ୟ ନଥିବା ଜଣାପଡ଼ିଛି। ଏନେଇ ରାଜୁଙ୍କ ସାନଭାଇ ଜୟରାମ ଚାମ୍ପିଆ ସୁକିନ୍ଦା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ସୁକିନ୍ଦା ପୁଲିସ ୧୯୬/୨୨ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତଦେହକୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି।
Follow Us