Advertisment

ଦାସିଆ ଅଜାଙ୍କ ସଂଗ୍ରହାଳୟ: ନେଦର୍‌ଲ୍ୟାଣ୍ଡର ପୁରାତନ ସାମଗ୍ରୀ ପ୍ରଦାନ

Advertisment
ଦାସିଆ ଅଜାଙ୍କ ସଂଗ୍ରହାଳୟ: ନେଦର୍‌ଲ୍ୟାଣ୍ଡର ପୁରାତନ ସାମଗ୍ରୀ ପ୍ରଦାନ

ନୂଆଗାଁ: ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ବାରା ନୂଆଗାଁର ଉଦୟପୁର ଗ୍ରାମରେ ପ୍ରତିଷ୍ଠିତ ପାଠାଗାର ଓ ଗବେଷଣା କେନ୍ଦ୍ରକୁ ନେଦରଲ୍ୟାଣ୍ଡ ଦେଶର ପୁରାତନ ସାମଗ୍ରୀ ପ୍ରଦାନ କରାଯାଇଛି। ନୟାଗଡ଼ ସହରର ବାସିନ୍ଦା ତଥା ସୁଦୂର ନେଦରଲ୍ୟାଣ୍ଡରେ ଉଚ୍ଚପଦସ୍ଥ ବ୍ୟାଙ୍କ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ପାରିତୋଷ ମହାପାତ୍ର ୬ ମାସ ପୂର୍ବେ ଦାସିଆ ଅଜାଙ୍କ ଏହି ସାଂସ୍କୃତିକ ସମ୍ଭାରକୁ ପରିଦର୍ଶନରେ ଆସି ଦେଶ-ବିଦେଶର ପୁରାତନ ସାମଗ୍ରୀ ଓ ବିରଳ କଳାକୃତି ଦେଖି ବିସ୍ମିତ ହୋଇଥିଲେ। ସଂଗ୍ରହାଳୟରେ ନେଦରଲ୍ୟାଣ୍ଡର ପୁରାତନ ସାମଗ୍ରୀ ଓ ବିଭିନ୍ନ କଳାକୃତିମାନଙ୍କୁ ସଂଗ୍ରହ କରି ଏକ ସ୍ବତନ୍ତ୍ର ଗ୍ୟାଲେରି ସ୍ଥାପନ ନିମନ୍ତେ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ଦେଇଥିଲେ।

ବର୍ତ୍ତମାନ ନେଦର୍‌ଲ୍ୟାଣ୍ଡରୁ ନୟାଗଡ଼ ଆସିଥିବା ଅବସରରେ ନେଦର୍‌ଲ୍ୟାଣ୍ଡବାସୀଙ୍କ ଦ୍ବାରା ୧୮୦୦ ମସିହାରେ ବ୍ୟବହୃତ କଫିମଞ୍ଜିକୁ ଗୁଣ୍ଡ କରାଯାଉଥିବା ଗ୍ରାଇଣ୍ଡର୍‌ ମେସିନ୍‌, ତେଲ ରଖିବା ପାଇଁ ସ୍ବତନ୍ତ୍ର ପାତ୍ର, ପୁରାତନ ଆଲାରାମ ଘଣ୍ଟା ଓ ନେଦର୍‌ଲ୍ୟାଣ୍ଡର ପୁରୁଣା କଣ୍ଢେଇ ଆଦି ପ୍ରଦାନ କରାଯାଇଛି। ଶ୍ରୀ ମହାପାତ୍ର ନିଜ ସହକର୍ମୀମାନଙ୍କ ସହିତ ସଂଗ୍ରହାଳୟକୁ ଆସି ଅନୁଷ୍ଠାନର ସଂପାଦକ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ସଂଗ୍ରହାଳୟକୁ ଏହି ସାମଗ୍ରୀ ପ୍ରଦାନ କରିଛନ୍ତି। ଭବିଷ୍ୟତରେ ମଧ୍ୟ ନେଦରଲ୍ୟାଣ୍ଡର ବିଭିନ୍ନ ସାମଗ୍ରୀ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିବେ ବୋଲି ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଏହି ବଦାନ୍ୟତାକୁ ସର୍ବସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe