ରଥ ପାଖରେ ସଙ୍ଗୀତ ନିର୍ଦ୍ଦେଶକ, ଭକ୍ତଙ୍କ ବିରୋଧ

ରଥ ପାଖରେ ସଙ୍ଗୀତ ନିର୍ଦ୍ଦେଶକ, ଭକ୍ତଙ୍କ ବିରୋଧ

ପୁରୀ: ବଡ଼ଦାଣ୍ଡରେ କର୍ଫ୍ୟୁ। ଘରୁ ବାହାରିଲେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛି ପୁଲିସ। ସାହି ଗଳିକନ୍ଦିରେ ମହାପ୍ରଭୁଙ୍କ ସାମାନ୍ୟ ଦର୍ଶନ ପାଇଁ ଅନାଇ ରହୁଥିବା ଲୋକଙ୍କୁ ପୁଲିସ ଆଜି ସକାଳୁ ବି ଗୋଡ଼ାଇଗୋଡ଼ାଇ ପିଟିଛି। ଏଭଳି ସ୍ଥିତିରେ ଓଡ଼ିଆ ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ପହଣ୍ଡି ବେଳେ ରଥ ପାଖରେ ରହିବା, ସେବାୟତଙ୍କ ଗହଣରେ ବୁଲିବା ଭକ୍ତ ମହଲକୁ ଆନ୍ଦୋଳିତ କରିଛି। ଏହାକୁ ନେଇ ସାଧାରଣ ଭକ୍ତଙ୍କ ମହଲରେ ବିରୋଧର ସ୍ବର ଉଠିଥିବା ବେଳେ ପ୍ରେମାନନ୍ଦଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଭକ୍ତ ମହଲ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶେଷ ମୁହୂର୍ତ୍ତରେ ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ଅନୁମତି ଦେବା ପରେ ୨୨ ତାରିଖ ରାତି ୯ଟାରୁ ୨୪ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ସଟ୍‌ଡାଉନ୍‌ ଓ ବଡ଼ଦାଣ୍ଡରେ କର୍ଫ୍ୟୁ ଜାରି କରାଯାଇଛି। କୌଣସି ପରିସ୍ଥିତିରେ ଜନସାଧାରଣଙ୍କୁ ବଡ଼ଦାଣ୍ଡକୁ ଆସିବାକୁ ଦିଆଯାଉନି। ବଡ଼ଦାଣ୍ଡ ଉପରେ ଥିବା ନିଜ ଘରୁ ବି କାହାରିକୁ ବାହାରିବାକୁ ଦିଆଯାଉନି। ଅନ୍ୟ ପଟେ କେବଳ କୋଭିଡ୍‌ ଟେଷ୍ଟ ସରିଥିବା ସେବାୟତଙ୍କୁ ରଥ ଟାଣିବା, ଛୁଇଁବାକୁ ଅନୁମତି ଦେବାକୁ ମାନ୍ୟବର ସୁପ୍ରିମକୋର୍ଟ କଡ଼ା ନିର୍ଦେଶ ଦେଇଛନ୍ତି। ଏଥି ପାଇଁ ଆଜି ମରିଚିକୋଟ ଛକରୁ ଜନସାଧାରଣ ତ’ ଦୂରର କଥା ଗଣମାଧ୍ୟମକୁ ବି ଛାଡ଼ି ଦିଆଯାଇ ନଥିଲା। ଏଭଳି ସ୍ଥିତିରେ ଆଜି ସକାଳୁ ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ରଥ ଆଗରେ ବୁଲୁଥିବା, ଛୁଉଁଥିବା ଦେଖିବାକୁ ମିଳିଥିଲା। କଟକରୁ ଆସି ବିନା କୋଭିଡ୍‌ ଟେଷ୍ଟରେ କଟକଣା ରେଖା ଭିତରେ କିଭଳି ଏହି ସଂଗୀତ ନିର୍ଦେଶକ ପଶିଲେ ତାକୁ ନେଇ ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe