ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଦୀପ ପାତ୍ରଙ୍କ ପରଲୋକ

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଦୀପ ପାତ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଆକାଶବାଣୀର ବରିଷ୍ଠ ସଂଗୀତକାର ପ୍ରଦୀପ ପାତ୍ରଙ୍କ ଆଜି ସଂଧ୍ୟା ପ୍ରାୟ ସାଢ଼େ ୭ଟାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସ୍ୱର୍ଗତ ପାତ୍ରଙ୍କ ପତ୍ନୀ ସଂଯୁକ୍ତା ପାତ୍ର, ଦୁଇ ପୁଅ ରିତରାକ୍‌ ଓ ଅନୁରାଗ ଏବଂ ଝିଅ ପଲ୍ଲବୀ ଉପସ୍ଥିତ ଥିଲେ। ଆସନ୍ତାକାଲି ଅପରାହ୍ନ ୪ଟାରେ ଗୋରାକବରରେ ସ୍ୱର୍ଗତ ପାତ୍ରଙ୍କୁ କବର ଦିଆଯିବ ବୋଲି ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ୨୦୧୬ରେ କିଡି ସିଣ୍ଡ୍ରୋମ୍‌ରେ ସେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ପରୀକ୍ଷାରୁ ପାକସ୍ଥଳୀରେ କର୍କଟ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କଟକ ସୂତାହାଟରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ପାତ୍ର ବାପା ସ୍ୱର୍ଗତ ସାମୁଏଲ୍‌ ପାତ୍ରଙ୍କଠୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗୀତ ଶିଖିବା ଆରମ୍ଭ କରିଥିଲେ। ପରେ ଗୁରୁ କୁନ୍ଦଳା ଆଦିନାରାୟଣ ରାଓ ଓ ମୁମ୍ବାଇର ପ୍ରଫେସର ବି.ଆର୍‌. ଦେଓଧରଙ୍କଠୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଶିକ୍ଷାଲାଭ କରିଥିଲେ। ଗୁରୁ କ୍ଷେତ୍ରମୋହନ କର ଓ ଜୟକୃଷ୍ଣ କାହାଳୀଙ୍କଠୁ ସେ ତବଲା ଶିଖିଥିଲେ। ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ଭ ମହାବିଦ୍ୟାଳୟ ମଣ୍ଡଳରୁ ସ୍ୱର୍ଗତ ପାତ୍ର ୧୯୭୦ ମସିହାରେ ତବଲାରେ ସଙ୍ଗୀତ ବିଶାରଦ ଏବଂ ୧୯୭୧ ମସିହାରେ ହିନ୍ଦୁସ୍ତାନୀ କ୍ଲାସିକାଲ୍‌ ଭୋକାଲ୍‌ର ସଙ୍ଗୀତ ଅଳଙ୍କାରରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୬ ମସିହାରେ ସେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବରିଷ୍ଠ ସଂଗୀତକାର ଭାବେ ନିଯୁକ୍ତି ପାଇଥିଲେ ଏବଂ ୨୦୦୮ ମସିହାରେ ଜୟପୁର ଆକାଶବାଣୀ କେନ୍ଦ୍ରରୁ ଅବସର ନେଇଥିଲେ। ଅବସର ପରଠୁ ସେ ସୂତାହାଟସ୍ଥିତ ପୈତୃକ ଘରେ ରହିଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe