ଧାର୍ମିକ ଅସହିଷ୍ଣୁତା ଭିଡ଼ରେ ଉଡ଼ିଲା ସଦଭାବନାର ଧ୍ବଜା, ଯୋଗ ଦିବସରେ ଯୋଗ ଶିଖାଇଲେ ମୁସଲିମ୍ ଆଚାର୍ଯ୍ୟ

Advertisment
ଧାର୍ମିକ ଅସହିଷ୍ଣୁତା ଭିଡ଼ରେ ଉଡ଼ିଲା ସଦଭାବନାର ଧ୍ବଜା, ଯୋଗ ଦିବସରେ ଯୋଗ ଶିଖାଇଲେ ମୁସଲିମ୍ ଆଚାର୍ଯ୍ୟ

ସୁନ୍ଦରଗଡ଼: ଦେଶରେ ଏବେ ଧାର୍ମିକ ଅସହିଷ୍ଣୁତା ଲାଗି ରହିଛି। ମସଜିଦ ଭିତରେ ମନ୍ଦିର ଖୋଜାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ବଢ଼ିଛି ବିବାଦ। ତେବେ ଏ ଅସହିଷ୍ଣୁତାର ଭିଡ଼ ଭିତରେ ଧାର୍ମିକ ସଦଭାବନା ଓ ଭାଇଚାରାର ଧ୍ବଜା ଉଡ଼ାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିରର ଜଣେ ମୁସଲିମ୍ ଯୁବକ ଆଚାର୍ଯ୍ୟ ରଫିକ୍ ଖାନ୍। ହେମଗିର ବ୍ଲକ୍ ପତଞ୍ଜଳି ଯୋଗ ସମିତି ମୁଖ୍ୟ ଥିବା ଆଚାର୍ଯ୍ୟ ରଫିକ ଆଜି ବିଶ୍ବ ଯୋଗ ଦିବସରେ ବ୍ଲକର ଲୁଆବାହାଲ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଶତାଧିକ ଛାତ୍ରଛାତ୍ରୀ ଓ ମହିଳା, ପୁରୁଷଙ୍କୁ ସମସ୍ତଙ୍କୁ ଯୋଗ ଶିଖାଇଛନ୍ତି। ପ୍ରାରମ୍ଭରେ ସେ ପତଞ୍ଜଳି ଯୋଗ ସମିତିର ନିୟମ ଅନୁସାରେ, ଓଁ ଉଚ୍ଚାରଣ ପୂର୍ବକ ସଂସ୍କୃତ ଶ୍ଲୋକ ପାଠ କରି ଯୋଗର ବିଭିନ୍ନ ମୁଦ୍ରା ପ୍ରଦର୍ଶିତ କରିଥିଲେ।

ଏହି ଅବସରରେ ସେ ଯୋଗର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ, ‘ବର୍ତ୍ତମାନ ସମୟରେ ଆହାର, ଜଳ, ବାୟୁ ପ୍ରଦୂଷଣ ତଥା ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ଯକ୍ଷ୍ମା, ଶ୍ବାସ, ମଧୁମେହ, ରକ୍ତଚାପ, କର୍କଟ, ଅର୍ଶ ଆଦି ଅନେକ ମାରାତ୍ମକ ରୋଗ ବୃଦ୍ଧି ପାଇଛି । ଏହି ଛଡ଼ା ମାନସିକ ଅବସାଦ ମଧ୍ୟ ବଢ଼ିଛି। ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଉପଚାର ଦ୍ବାରା ହିଁ ମଣିଷ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ହୋଇପାରିବ ବୋଲି ସେ କହିଥିଲେ। କେବଳ ଲୁଆବାହାଲ ନୁହେଁ, ତାଙ୍କ ସଞ୍ଚାଳନରେ କେନ୍ଦୁଡିହି ବିଦ୍ୟାଳୟ, ଡୁଙ୍ଗୁରିଡିହି ଉଚ୍ଚବିଦ୍ୟାଳୟ ପଡ଼ିଆ, ଗର୍ଜନବାହାଲ ଉଚ୍ଚବିଦ୍ୟାଳୟ ପଡ଼ିଆରେ ଯୋଗାଭ୍ୟାୋସ ଅନୁଷ୍ଠିତ ହୋଇଥିଲା। ଏସବୁ ସ୍ଥାନରେ ସକାଳ ୬ଟାରୁ ଘଣ୍ଟାଏ ଯୋଗ ଅଭ୍ୟାସ ହୋଇଥିଲା।

ଯୋଗ ଶିକ୍ଷକ ଇନ୍ଦ୍ରମଣି, ସେବକ, ତରୁଣୀ, ଈଶ୍ବର ଓ ଇନ୍ଦ୍ରଜିତ ପଶାୟତ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଲୁଆବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନବନିତା ନାଏକ, ସମସ୍ତ ବିଦ୍ୟାର୍ଥୀ, ଭାଗ ନେବା ସହିତ ପଶ୍ଚିମ ଓଡିଶା ଯୁବା ମଞ୍ଚ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ହୋଲିଷ୍ଟିକ ହେଲ୍ଥଥ, ଇଣ୍ଡିଆନ ୟୋଗା ଥେରେପିଷ୍ଟ ଆସୋସିଏସନ ସହଯୋଗ କରିଥିଲେ । ପ୍ରକାଶଯୋଗ୍ୟ, ଆଚାର୍ଯ୍ୟ ରଫିକ୍ ଅନେକ ବର୍ଷ ହେଲା ହେମଗିର ଅଞ୍ଚଳରେ ପ୍ରତିଦିନ ଯୋଗ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ତାଙ୍କ ମତରେ ‘ମଣିଷର ଗୋଟିଏ ଧର୍ମ, ତାହା ହେଲା ପ୍ରେମ ଓ ମାନବିକତା। ପ୍ରେମ ଓ ମାନବିକତାକୁ ଭୁଲି ଯାଉଥିବା ମଣିଷର ଜୀବନ ମୂଲ୍ୟହୀନ’ ବୋଲି ସେ କହନ୍ତି। ହେମଗିରର ଏକ ଛୋଟ ଆଦିବାସୀ ଗାଁରୁ ଆଚାର୍ଯ୍ୟ ରଫିକଙ୍କ ଏ ସଦଭାବନା ଯାତ୍ରା ଅବାଟରେ ଯାଉଥିବା ସବୁ ଧର୍ମର ଲୋକଙ୍କୁ ବାଟ ଦେଖାଇ ଚାଲିଛି। ଏକଥା ବିନା ଦ୍ବିଧାରେ କୁହାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe