‘ମୋ ଭାଣିଜୀ ଭାରତର ରାଷ୍ଟ୍ରପତି’, ଖୁସିରେ ଆତ୍ମହରା ମାମୁ ଦାସମତ ମାରାଣ୍ଡି

Advertisment
‘ମୋ ଭାଣିଜୀ ଭାରତର ରାଷ୍ଟ୍ରପତି’, ଖୁସିରେ ଆତ୍ମହରା  ମାମୁ ଦାସମତ ମାରାଣ୍ଡି

ଭୁବନେଶ୍ବର : ‘ମୋ ଭାଣିଜୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି।’ ଏହିଭଳି କହି ଖୁସିରେ ଆତ୍ମହରା ହୋଇଉଠିଛନ୍ତି ଦାସମତ ମାରାଣ୍ଡି। ରାଷ୍ଟ୍ରପତିଙ୍କ ମାମୁଘର ଗାଁ ହେଉଛି, ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଡୁମୁରିଆ।

ଦାସମତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ମୁଁ ବହୁତ ଖୁସି। ଖାଲି ମୁଁ ଏକା କାହିଁକି, ଆମ ଗାଁଟା ସାରା ଲୋକଙ୍କ ମନରେ ନାହିଁ ନଥିବା ଖୁସି। ‌ଦ୍ରୌପଦୀ ଯେତେବେଳେ ପିଲା ଥିଲେ, ସେତେବେଳେ ମାମୁଁଘର ଗାଁକୁ ବୁଲି ଆସନ୍ତି। ଏଠାକୁ ଆସିଲେ ଖୁବ୍‌ ଖେଳନ୍ତି ଆଉ ବୁଲନ୍ତି। ସେତେବେଳେ ମୋ ବାପାମା’ ଥିଲେ। ସେ ମୋ ବାପାଙ୍କ ସହିତ ବି ବହୁତ ଖେଳନ୍ତି ଆଉ କଥାବାର୍ତ୍ତା ହୁଅନ୍ତି। ସେ ଏଠାକୁ ଆସିଲେ ତାଙ୍କ ପାଇଁ ଭଲ ଖାଇବା ପ୍ରସ୍ତୁତ ହୁଏ। ହେଲେ, ତାଙ୍କର ମନ ଥାଏ ଭାତ ଓ ଗୋଟିଏ ତରକାରୀରେ। ସେଇଆକୁ ଖାଇ ସେ ଖୁସି ହୁଅନ୍ତି। ଛୋଟବେଳେ ବହୁତ ଭଲପାଠ ପଢ଼ୁଥିଲେ ଦ୍ରୌପଦୀ। ସେତେବେଳେ ମୁଁ ଭାବୁଥିଲି, ଇଏ ନିଶ୍ଚୟ ଦିନେ ବଡ଼ ହେବେ। ଆମ ଗାଁର ନାଁ ରଖିବେ। ’ ‘ ରାଜ୍ୟପାଳ ଥିବାବେଳେ ସେ ଆମ ଗାଁକୁ ଆସିଥିଲେ। ଆମ ଜାମ୍ବାପିଡ଼ ଲୋକେ ଖୁସିରେ ଆତ୍ମହରା ହୋଇପଡିଥିଲେ। ଗାଁରେ ଢୋଲ, ବାଜା, ମହୁରି ବଜାଇ ଉତ୍ସବ ମନାଇଥିଲୁ ଗାଁ ଲୋକ। ନାଚ ଗୀତରେ ସମସ୍ତେ ତାଙ୍କୁ ସ୍ବାଗତ କରିଥିଲେ। ଏବେ ରାଷ୍ଟ୍ରପତି ହେଲେଣି। ମାମୁ ଘରକୁ ଆସି ପାରିବେ ନା ନାହିଁ। ନ ଆସି ପାରିଲେ ମଧ୍ୟ ଆମ ଗାଁଲୋକ ଆଉ ମୁଁ ବହୁତ ଖୁସି। ମୋ ଭାଣିଜୀ ଭାରତର ରାଷ୍ଟ୍ରପତି, ସେଥିପାଇଁ ମୋର ବହୁତ ଗର୍ବ। ସେ ମୋତେ ଯେଉଁଠି ଦେଖିଲେ ମଧ୍ୟ ହୋ ମାମୁ ମାମୁ କହି ଦୌଡ଼ି ଆସନ୍ତି,’ ବୋଲି କହିଛନ୍ତି ଦାସମତ। ଗୋଟିଏ ଭାଣିଜୀ ହୋଇଥିବାରୁ ସେ ଆମ ସମସ୍ତଙ୍କର ସେ ଗେହ୍ଲି ବୋଲି ବି ଭାବବିହ୍ବଳ କଣ୍ଠରେ କହିବାକୁ ଭୁଲିନାହାନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe