ନବ ଦାସ ହତ୍ୟା ତଦନ୍ତ: ୯ ଦିନ ବିତିଲା, ସତ ବାହାରୁନି

ହତ୍ୟାର କାରଣ ନେଇ ସମସ୍ତେ ଅନ୍ଧାରରେ, ଗୋପାଳକୁ ବିଭିନ୍ନ ସ୍ଥାନରେ ରଖି କରାଯାଉଛି ଜେରା

ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତ: ପ୍ରଶ୍ନ ଉଠାଇଲା ବିଜେପି

ଝାରସୁଗୁଡ଼ା : ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପାଜତରେ ରହିଛି। ତଥାପି ହତ୍ୟାର କାରଣ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ। ଘଟଣା ପଛର ରହସ୍ୟ କଣ ଏମିତି ଅଛି ଯେ, କ୍ରାଇମବ୍ରାଞ୍ଚ ସତ କାଢ଼ିପାରୁନି? ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ୁଛି। ହତ୍ୟାକାଣ୍ଡ ପଛରେ ଏକ ବଡ଼ ଧରଣର ଷଡ଼୍‌ଯନ୍ତ୍ର ରହିଥିବା ନେଇ ଆଶଙ୍କା ଦୃଢ଼ୀଭୂତ ହେଉଛି ବୋଲି ସବୁ ମହଲରେ ଆଲୋଚନା ହେଉଛି।

କ୍ରାଇମବ୍ରାଞ୍ଚ ଆଜି ଦିନ ତମାମ ଗୋପାଳକୁ ଜେରା କରୁଥିବା କୁହାଯାଉଛି। ଦ୍ବିତୀୟ ପର୍ଯ୍ୟାୟ ୪ ଦିନ ରିମାଣ୍ଡରୁ ୨ ଦିନ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କାରଣ ସଂପର୍କରେ ଜାଣି ପାରି ନାହିଁ। ତେବେ ଗୋପାଳର ମାନସିକ ସ୍ଥିତି ପରୀକ୍ଷା ଚାଲିଥିବା ନେଇ କୁହାଯାଉଛି। କ୍ରାଇମବ୍ରାଞ୍ଚ କଣ ଜେରା କରୁଛି, ଗୋପାଳ କଣ କହୁଛି ତାହା ଗୁପ୍ତ ରଖାଯାଉଛି। ତେବେ ହତ୍ୟାକାଣ୍ଡ ସଂପର୍କରେ ଗୋପାଳର ବୟାନକୁ ନେଇ ଅନେକ ମନଗଢ଼ା କଥା ଏବେ ପ୍ରଚାର ହେଉଛି। ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ। ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍‌ ଘରେ ରଖାଯାଉଥିବା ଜଣାଯାଇଛି।

ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି। ଏହାର ଉଦ୍ଦେଶ୍ୟ ଜଣାପଡ଼ୁନଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମଧ୍ୟ କିଛି କହୁନାହାନ୍ତି। ରିମାଣ୍ଡ ଅବଧି ଆଉ ଦୁଇ ଦିନ ଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର କାରଣ ସଂପର୍କରେ କ'ଣ କହିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe