ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ଦୀପାଳିଙ୍କୁ ଟିକଟ ନେଇ ମୁହଁ ଖୋଲିଲେ ନବ

Advertisment
ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ଅସୁବିଧା ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କଲେ ନବ

Odisha Sun Times

ସମ୍ବଲପୁର : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନେଇ ଝିଅ ଦୀପାଳି ଦାସଙ୍କୁ ଟିକଟ ଦିଆଯିବା ନେଇ ଚାଲିଥିବା ଚର୍ଚ୍ଚା ପ୍ରସଂଗରେ ଆଜି ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ। ସମ୍ବଲପୁର ପାନ୍ଥନିବାସ ସମ୍ମଳିନୀ ‌କକ୍ଷରେ ଆୟୋଜିତ ବିଜେଡିର ଏକ ମିଶ୍ରଣ ପର୍ବରେ ଯୋଗ ଦେବାକୁ ଆସିଥିବା ମନ୍ତ୍ରୀ ଶ୍ରୀ ଦାସ ଏହା କେବଳ ଗଣମାଧ୍ୟମର ଚର୍ଚ୍ଚା ବୋଲି ସେ କହିଛନ୍ତି। ସାମ୍ବାଦିକମାନଙ୍କ ଏକ ପ୍ରଶ୍ନରେ ଉତ୍ତରରେ ସେ କହିଲେ, ଟିକଟ ପାଇଁ ଦୁଇ ଜଣଙ୍କ ନାମ ଚର୍ଚ୍ଚାରେ ରହିଥିବା ନେଇ ପ୍ରଚାର କରାଯାଉଛି। କିନ୍ତୁ, ଯିଏ ନିର୍ବାଚନରେ ପ୍ରାର୍ଥୀ ବୋଲି କୁହାଯାଉଛି, ସେ(ଦିପାଲୀ) କିମ୍ବା ମୁଁ(ନବ) କେବେ ଗଣମାଧ୍ୟମରେ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଏନେଇ କିଛି କହି ନାହୁଁ। ଏସବୁ ଗଣମାଧ୍ୟମରେ ଚର୍ଚ୍ଚା।

ବିଜେଡିର ଏକ ପରମ୍ପରା ରହିଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁଁ କହି ରଖୁଛି, କାହାକୁ ଟିକଟ ଦିଆଯିବ, ତାହା ମୁଖ୍ୟମନ୍ତ୍ରୀ ସବୁବେଳେ ସ୍ଥିର କରିଥାନ୍ତି। ମୁଖ୍ୟମନ୍ତ୍ରୀ ଯାହାକୁ ବି ଟିକଟ ଦେବେ, ତାଙ୍କର ବିଜୟ ସୁନିଶ୍ଚିତ। ବିଜେପୁର, ପିପିଲି ପରେ ଏବେ ବ୍ରଜରାଜନଗର ଉପନିର୍ବାଚନରେ ବି ବିଜେଡିର ବିଜୟ ହେବ। ଗତ ପଞ୍ଚାୟତ ନିର୍ବାଚନରେ ଅନ୍ୟ ଦଳ ତୁଳନାରେ ବ୍ରଜରାଜନଗର, ଝାରସୁଗୁଡ଼ା ଆଦି ବିଧାନସଭା କ୍ଷେତ୍ରରେ ବିଜେଡିକୁ ୪୦ ହଜାରରୁ ଅଧିକ ଭୋଟ ମିଳିଛି। ତେଣୁ, ଅନ୍ୟ ଦଳ ସହିତ ଟକ୍କର ହେବ ବୋଲି କହାଯିବା ବି ଭୁଲ୍ ହେବ। ଉପନିର୍ବାଚନରେ ବିଜେଡିର ଏକତରଫା ବିଜୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

କେବଳ ସେତିକି ନୁହେଁ, ରେଂଗାଲି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡାଙ୍କ ବିଜେପି ଛାଡ଼ି ସମର୍ଥକମାନଙ୍କ ସହିତ ବିଜେଡିରେ ଯୋଗଦାନକୁ ଏହା ତାଙ୍କ(ଜ‌ିତେନ୍ଦ୍ର ପଣ୍ଡାଙ୍କ) ଘର ବାହୁଡ଼ା ବୋଲି କହିଛନ୍ତି। ଜି‌ତେନ୍ଦ୍ର ପଣ୍ଡାଙ୍କ ବଡ଼ଭାଇଙ୍କ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଜନତା ଦଳର ସଂଗଠନ ସୁଦୃଢ଼ କରିବାରେ ବଡ଼ ଭୂମିକା ରହିଥିଲା ବୋଲି କହିଛନ୍ତି। ଆଗାମୀ ବିଧାନସଭା ସଭାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସବୁ ବିଧାନସଭାରେ ବିଜେଡିର ବିଜୟ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ, ରାଜ୍ୟ ପର୍ଯ୍ୟବେକ୍ଷକ ଇଂ. ନଳିନୀକାନ୍ତ ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe