ନବ ଦାସ ହତ୍ୟା ତଦନ୍ତ ପ୍ରହେଳିକା: ଷଡ୍‌ଯନ୍ତ୍ର ଦିଗକୁ ଛୁଉଁନାହାନ୍ତି, ଫେରିଗଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌

Advertisment

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ ଆରମ୍ଭ ହେବା ପରେ ଝାରସୁଗୁଡ଼ାରେ କ୍ରାଇମ୍‌ବ୍ରାଞ୍ଚର ୨ଜଣିଆ ଟିମ ୫ ଦିନ ହେବ କ୍ୟାମ୍ପ କରି ରହିଥିଲେ। ତଦନ୍ତ ଆଉ କେତେଦିନ ଲାଗିବ କହିହେବନି ବୋଲି ଗତକାଲି ଉତ୍ତର ଦେଇଥିବା କ୍ରାଇମ୍‌ବ୍ରାଞ୍ଚ....

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ ଆରମ୍ଭ ହେବା ପରେ ଝାରସୁଗୁଡ଼ାରେ କ୍ରାଇମ୍‌ବ୍ରାଞ୍ଚର ୨ଜଣିଆ ଟିମ ୫ ଦିନ ହେବ କ୍ୟାମ୍ପ କରି ରହିଥିଲେ। ତଦନ୍ତ ଆଉ କେତେଦିନ ଲାଗିବ କହିହେବନି ବୋଲି ଗତକାଲି ଉତ୍ତର ଦେଇଥିବା କ୍ରାଇମ୍‌ବ୍ରାଞ୍ଚ....

naba das

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ ଆରମ୍ଭ ହେବା ପରେ ଝାରସୁଗୁଡ଼ାରେ କ୍ରାଇମ୍‌ବ୍ରାଞ୍ଚର ୨ଜଣିଆ ଟିମ ୫ ଦିନ ହେବ କ୍ୟାମ୍ପ କରି ରହିଥିଲେ। ତଦନ୍ତ ଆଉ କେତେଦିନ ଲାଗିବ କହିହେବନି ବୋଲି ଗତକାଲି ଉତ୍ତର ଦେଇଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କିନ୍ତୁ ଆଜି ସକାଳେ ହଠାତ୍‌ ଝାରସୁଗୁଡ଼ା ଛାଡ଼ି କଟକ ଫେରିଯାଇଛି। ପୂର୍ବ ତଦନ୍ତରେ କ୍ରାଇମ୍‌ବ୍ରାଞ୍ଚ ଷଡ୍‌ଯନ୍ତ୍ର ଦିଗକୁ ଆଦୌ ସ୍ପର୍ଶ କରିନଥିବା ବେଳେ ସାନି ତଦନ୍ତରେ ଏହି ଦିଗ ପ୍ରତି ଗୁରୁତ୍ବ ଦିଆଯିବ ବୋଲି ‌ଲୋକେ ଆଶାବ୍ୟକ୍ତ କରିଥିଲେ। ଗତକାଲି ଦ୍ବିତୀୟ ବନ୍ଧୁକର ବ୍ୟବହାର ନେଇ ଛାନ୍‌ଭିନ୍‌ ବେଳେ ଷଡ୍‌ଯନ୍ତ୍ର ଦିଗ ପ୍ରତି ଅଙ୍ଗୁଳି ଉଠିଥିଲା। ମାତ୍ର ଏ ଦିଗରେ ଅଧିକ ତଦନ୍ତ କରିବା ପରିବର୍ତ୍ତେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଫେରିଯିବା ପରେ ଏଥରର ତଦନ୍ତ ବି ପୂର୍ବବତ ଦିଗହରା ହୋଇ ରହିଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଝାରସୁଗୁଡ଼ା ଛାଡ଼ିବା ବେଳକୁ ଗଣମାଧ୍ୟମକୁ ବିବୃତି ଦେଇ ତଦନ୍ତକାରୀ ଅଧିକାରୀ ତଥା କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ କହିଛନ୍ତି, ଯାହା କାମ ଥିଲା ଶେଷ କରି ଦିଆଯାଇଛି। ୧୪-୧୫ ଜଣଙ୍କର ବୟାନ ରେକର୍ଡ କରାଯାଇଛି। ଆବଶ୍ୟକ ପଡ଼ିଲେ ପୁଣି ଆସି ତଦନ୍ତ କରାଯିବ। ଯାହା ତଥ୍ୟ ମିଳିଛି, ତାହା କୋର୍ଟରେ ଦାଖଲ କରାଯିବ।

ନବଦାସ ହତ୍ୟା ମାମଲାରେ ସର୍ବସମ୍ମୁଖରେ ଦେଖାଯାଉଥିବା କିଛି ଘଟଣା ଷଡ୍‌ଯନ୍ତ୍ର ସହ ଜଡ଼ିତ ବୋଲି ଗତ ୨ ବର୍ଷ ହେବ ଅଭିଯୋଗ ହୋଇଆସୁଛି। ପ୍ରଥମଟି ହେଲା ଅଭିଯୁକ୍ତ ‌ଗୋପାଳ ଦା‌ସର ପଲିଗ୍ରାଫ ପରୀକ୍ଷା ବେଳେ ପଚରାଯାଇଥିବା ପ୍ରଶ୍ନ ‘କ୍ୟା ମନୋଜ ନେ ଆପ୍‌କୋ ନବକିଶୋର ଦାସ୍‌ କେ ନାମ ପେ ଡରାୟା ଥା’ର ଉତ୍ତର ହଁ ଆସିଥିଲା। କିନ୍ତୁ ପୂର୍ବ ତଦନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉକ୍ତ କିରାଣି ମନୋଜ ବରିହାଙ୍କ ବିରୋଧରେ ମାମଲା ରୁଜୁ ହୋଇ ନଥିଲା କି ଏଥର ବି ତାଙ୍କୁ ପଚରାଉଚରା‌ କରାଯାଇ ନଥିବା ଜଣାପଡ଼ିଛି। ଦ୍ବିତୀୟଟି ହେଲା ଗୋପାଳ ଦାସ ବ୍ରଜରାଜନଗର ଗାନ୍ଧୀଛକରେ ନବ ଦାସଙ୍କୁ ଗୁଳି କରିବା ସମୟରେ ତତ୍କାଳୀନ ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ପିସ୍ତଲ ହୋଲ୍ଡଷ୍ଟର୍‌ ଖୋଲା ରହିଥିଲା। ଶ୍ରୀ ସ୍ବାଇଁ କାଳେ ଗୁଳିମାଡ଼ କରିବେ ସେହି ଆଶଙ୍କାରେ ବିଜେଡି କର୍ମୀ ସରୋଜ ସା ତାଙ୍କ ପିସ୍ତଲ ନେଇ ଯାଇଥିଲା ବୋଲି ଖୋଦ୍‌ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। କିନ୍ତୁ, ସେତେବେଳେ ଆଇଆଇସି ଥିବା ଶ୍ରୀ ସ୍ବାଇଁ ତାଙ୍କ ପିସ୍ତଲ ଛଡ଼ାଇ ନିଆଯାଇଥିବା ସମ୍ପର୍କରେ କୌଣସି ମାମଲା ରୁଜୁ କଲେନି କି ତାଙ୍କ ଦାୟିତ୍ବହୀନତା ପାଇଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବି ହେଲାନି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଘଟଣାସ୍ଥଳରେ ନବ ଦାସଙ୍କ ପିଏସ୍‌ଓଙ୍କର ଯେତିକି ଦାୟିତ୍ବ ଥିଲା; ସେତିକି ଦାୟିତ୍ବ ତତ୍କାଳୀନ ଆଇଆଇସି ଓ ଏସ୍‌ଡିପିଓଙ୍କର ମଧ୍ୟ ରହିଥିଲା। ନବ ଦାସଙ୍କ ପିଏସ୍‌ଓଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ତତ୍କାଳୀନ ଆଇଆଇସି ଓ ଏସ୍‌ଡିପିଓଙ୍କ ବିରୋଧରେ ପ୍ରୋସିଡିଂଟିଏ ବି ହେଲାନି। ତୃତୀୟରେ ଗୁଳିକାଣ୍ଡ ପରେ ଗୋପାଳ ଦାସକୁ ୨ ଜଣ କନେଷ୍ଟବଳ କାବୁ କରିଥିବା ଦୃଶ୍ୟ ଭିଡିଓରେ ଦେଖାଯାଉଥିବା ବେଳେ କିଭଳି ଗୋପାଳର ଗୁଳିରେ ଆଇଆଇସିଙ୍କ ଆଙ୍ଗୁଠି ଖଣ୍ଡିଆ ହେଲା ତାହା ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଯାଇଛି। ଚତୁର୍ଥରେ ଗୋପାଳ ଦାସକୁ କାବୁକରି ନିଆଯିବା ପରେ ତାକୁ ବିମାନବନ୍ଦର ଥାନାରେ ନେଇ ଅଟକ ରଖାଯାଇଥିଲା। ଏହି ସମୟରେ ଗୋପାଳଙ୍କୁ ଯାଞ୍ଚ କରି ସମସ୍ତ ଜିନିଷ ଜବତ କରାଯାଇଥିଲା। ମାତ୍ର ସେ ଲେଖିଥିବା ଚିଠି କିଭଳି ପକେଟ୍‌ ଭିତରେ ରହିଲା ଓ ପାଇଖାନା ଟାଙ୍କି ଭିତରକୁ ଗଲା ତାହା ଉପରୁ ଏବେ ବି ପରଦା ହଟିପାରିନି। କେବଳ ଝାରସୁଗୁଡ଼ାରେ ନବ ଦାସଙ୍କ ମୃତ୍ୟୁ ହୋଇସାରିଥିବା ବେଳେ କାହିଁକି ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯା‌ଇଥିଲା ବୋଲି ହେଉଥିବା ଅଭିଯୋଗ ଉପରେ କ୍ରାଇମ୍‌ବ୍ରାଞ୍ଚ ଫୋକସ୍‌ କରିଥିବା ଦୃଶ୍ୟ ସାମନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe