ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା: ମୃତ୍ୟୁ ପୂର୍ବରୁ ନିର୍ଦ୍ଦିଷ୍ଟ ନମ୍ବରକୁ ବାରମ୍ବାର କଲ୍‌ କରିଥିଲେ ଲଳିତ

Advertisment

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ ହେବା ପରେ ଘଟଣାର ନୂଆ ନୂଆ ଦିଗ ସାମନାକୁ ଆସୁଛି। ଏହି ମାମଲାରେ ପୁଲିସ କିଭଳି ତଦନ୍ତକୁ ବାଟବଣା କରିଥିଲା ତାହା ଜଳଜଳ ହୋଇ ବାରି ହୋଇପଡ଼ିଲାଣି।

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ ହେବା ପରେ ଘଟଣାର ନୂଆ ନୂଆ ଦିଗ ସାମନାକୁ ଆସୁଛି। ଏହି ମାମଲାରେ ପୁଲିସ କିଭଳି ତଦନ୍ତକୁ ବାଟବଣା କରିଥିଲା ତାହା ଜଳଜଳ ହୋଇ ବାରି ହୋଇପଡ଼ିଲାଣି।

naba das

ଝାରସୁଗୁଡ଼ା: ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ ହେବା ପରେ ଘଟଣାର ନୂଆ ନୂଆ ଦିଗ ସାମନାକୁ ଆସୁଛି। ଏହି ମାମଲାରେ ପୁଲିସ କିଭଳି ତଦନ୍ତକୁ ବାଟବଣା କରିଥିଲା ତାହା ଜଳଜଳ ହୋଇ ବାରି ହୋଇପଡ଼ିଲାଣି। ୨୦୨୨ ଏପ୍ରିଲ ୧୭ ତାରିଖ ସନ୍ଧ୍ୟାରେ ଲଳିତଙ୍କ ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ନିର୍ଦ୍ଦିଷ୍ଟ ଗୋଟିଏ ନମ୍ବରକୁ ସେ ବାରମ୍ବାର ଫୋନ୍‌ କରିଥିଲେ। କେବଳ ସେତିକି ନୁହେଁ, ମୃତ୍ୟୁ ପୂର୍ବରୁ ବି ସେହି ନମ୍ବରରେ ଲଳିତଙ୍କ ଶେଷ ‘ଆଉଟ୍‌ଗୋଇଂ କଲ୍‌’ ରହିଥିଲା। ମାତ୍ର ଏହି ମାମଲାର ଅଧିକ ତଦନ୍ତ ପାଇଁ ପୁଲିସ ଯେତେବେଳେ ସନ୍ଦିଗ୍ଧ ନମ୍ବରର ସିଡିଆର୍‌ (କଲ୍ ଡିଟେଲ୍ସ ରିପୋର୍ଟ), ଏସ୍‌ଡିଆର୍‌ (ସବ୍‌ସ୍କ୍ରାଇବର୍‌ ଡିଟେଲ୍ସ ରିପୋର୍ଟ) ମାଗିଥିଲା, ସେଥିରେ କିନ୍ତୁ ଉକ୍ତ ନମ୍ବର ନଥିଲା। ଯାହାର ଦସ୍ତାବିଜ ଏବେ ‘ସମ୍ବାଦ’ର ହସ୍ତଗତ ହୋଇଛି। ତେଣୁ ପୁଲିସ୍‌ ଜାଣିଶୁଣି ମାମଲାର ଦିଗ ବଦଳାଇବାକୁ ଚେଷ୍ଟା କରିଥିବା ବର୍ତ୍ତମାନ ଅଭିଯୋଗ ହେଲାଣି।

ସନ୍ଦିଗ୍ଧ କଲ୍‌କୁ ଛାଡ଼ି ଅନ୍ୟ ନମ୍ବରର ସିଡିଆର୍‌ ମାଗିଥିଲା ପୁଲିସ

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲଳିତଙ୍କ ମୃତ୍ୟୁର ୬ ଘଣ୍ଟା ପୂର୍ବରୁ ତାଙ୍କ ମୋବାଇଲ୍‌ରେ ବିଶେଷ ଭାବେ ଫୋନ୍‌ କଲ୍‌ ଯିବାଆସିବା ହୋଇଥିଲା। ଦିନ ସାଢ଼େ ୧୨ରୁ ସନ୍ଧ୍ୟା ୭ଟା ମଧ୍ୟରେ ଲଳିତଙ୍କ ମୋବାଇଲ୍‌ରେ ମୋଟ ୧୬ଟି ଇନ୍‌କମିଂ ଓ ଆଉଟ୍‌ଗୋଇଂ ଫୋନ୍‌ କଲ୍‌ ରହିଥିଲା। ଯେଉଁଥିରେ ୭ଟି ଆଉଟ୍‌ଗୋଇଂ ଓ ୯ଟି ଇନ୍‌କମିଂ ଫୋନ୍‌ କଲ୍‌ ଥିଲା। ଏହା ପରେ ସନ୍ଧ୍ୟା ୭ଟା ୫୭ ମିନିଟ୍‌ରେ ଲଳିତଙ୍କ ଭାଇଙ୍କ ନମ୍ବରକୁ ୩୪ ସେକେଣ୍ଡର ଆଉଟ୍‌ଗୋଇଂ କଲ୍‌ ଯାଇଥିବା ବେଳେ ତାହା ସମ୍ଭବତଃ ମୃତ୍ୟୁ ସୂଚନା ଦେବାକୁ ଫୋନ୍‌ କରାଯାଇଥାଇପାରେ ବୋଲି ପୁଲିସ୍‌ ଅନୁମାନ କରୁଛି। ସନ୍ଧ୍ୟା ୮ଟା ୪୩ ମିନିଟ୍‌ରେ ଲଳିତଙ୍କ ଭାଇଙ୍କ ନମ୍ବରରୁ ଲଳିତଙ୍କ ମୋବାଇଲ୍‌କୁ ୪୧ସେକେଣ୍ଡର ଏକ ଇନ୍‌କମିଂ କଲ୍‌ ମଧ୍ୟ ରହିଥିଲା। ‌ପୋଷ୍ଟମର୍ଟମ୍‌ ରିପୋର୍ଟ ଅନୁସାରେ, ଲଳିତଙ୍କ ମୃତ୍ୟୁ ସନ୍ଧ୍ୟା ୬ଟାରୁ ୮ଟା ମଧ୍ୟରେ ହୋଇଥିବା ନେଇ ଅନୁମାନ କରାଯାଉଥିବାରୁ ଏହା ପୂର୍ବ ୬ ଘଣ୍ଟାର କଲ୍‌ ରେକର୍ଡ ପୁଲିସ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଏହି ଅବଧିରେ ଲଳିତଙ୍କ ମୋବାଇଲ୍‌ରୁ ଯାଇଥିବା ୭ଟି ଆଉଟ୍‌ଗୋଇଂ କଲ୍‌ ମଧ୍ୟରୁ ୬ଟି ଗୋଟିଏ ନିର୍ଦ୍ଦିଷ୍ଟ ନମ୍ବରକୁ ହିଁ ଯାଇଥିଲା। ଏପରିକି ସନ୍ଧ୍ୟା ୬ଟା ୩୮ ମିନିଟ୍‌ରେ ଲଳିତଙ୍କ ମୋବାଇଲ୍‌ରୁ ଉକ୍ତ ନମ୍ବରକୁ ୭୨ ସେକେଣ୍ଡର ଏକ ଫୋନ୍‌ କଲ୍‌ ଯାଇଥିଲା।

ଯାହାକି ଲଳିତଙ୍କର ଶେଷ ଆଉଟ୍‌ଗୋଇଙ୍ଗ୍‌ କଲ୍‌ ଥିବା ଆଶଙ୍କା କରାଯାଉଛି। ଉକ୍ତ ନମ୍ବରରେ ଦିନ ୧୨ଟା ୪୩ ମିନିଟ୍‌ରେ ୧୫ ସେକେଣ୍ଡ, ଦିନ ୧ଟା ୧୮ ମିନିଟ୍‌ରେ ୧୬ ସେକେଣ୍ଡ, ଦିନ ୩ଟା ୩୦ ମିନିଟ୍‌ରେ ୭୩ ସେକେଣ୍ଡ, ଅପରାହ୍ଣ ୪ଟା ୪ ମିନିଟ୍‌ରେ ୧୭୮ ସେକେଣ୍ଡ, ଅପରାହ୍ଣ ୪ଟା ୪୨ ମିନିଟ୍‌ରେ ୨୩ ସେକେଣ୍ଡର ଫୋନ୍‌ କଲ୍‌ ହୋଇଥିଲା। ଉକ୍ତ ନମ୍ବରଟି ତାଙ୍କ ପରିବାର ଲୋକଙ୍କର ନଥିଲା ବୋଲି ଜଣାପଡ଼ିଛି। ମାତ୍ର ଏହି ଘଟଣାର ପରଦିନ ଅର୍ଥାତ୍‌ ୨୦୨୨ ଏପ୍ରିଲ ୧୮ ତାରିଖରେ ଝାରସୁଗୁଡ଼ା ଥାନାର ତତ୍କାଳୀନ ସବ୍‌ଇନ୍ସପେକ୍ଟର ଗୀତାଞ୍ଜଳି ମିର୍ଦ୍ଧା ଝାରସୁଗୁଡ଼ା ଏସ୍‌ପିଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ସେ ଏହି ଘଟଣାର ତଦନ୍ତ କରୁଥିବାରୁ ମୃତ ଲଳିତଙ୍କ ସିଡିଆର୍‌ ବ୍ୟତୀତ ଅନ୍ୟ ୧୪ଟି ନମ୍ବରର ସିଡିଆର୍‌ ଓ ଏସ୍‌ଡିଆର୍‌ ପାଇଁ ନୋଡାଲ୍‌ ଅଫିସରଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ। ଲଳିତ ଯେଉଁ ନମ୍ବରକୁ ବାରମ୍ବାର ଫୋନ୍‌ କରିଛନ୍ତି, ଉକ୍ତ ବ୍ୟକ୍ତି ପୁଣି କାହା ସହିତ କଥା ହୋଇଛନ୍ତି ତାହା ପୁଲିସ ପାଇଁ ଜାଣିବା ଗୁରୁତ୍ବପୂର୍ଣ୍ଣ ଥିଲା। ହେଲେ ସେତେବେଳେ ଝାରସୁଗୁଡ଼ା ଥାନା ପୁଲିସ୍‌ ଏହାକୁ ଗୁରୁତ୍ବ ଦେଇନାହିଁ। ଏହା ସେତେବେଳେ ଜାଣିଶୁଣି ଲୁଚାଇବାକୁ ଚେଷ୍ଟା କରାଯାଇଥିଲା ବୋଲି ତଥ୍ୟାଭିଜ୍ଞ ମହଲ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଏ ସଂପର୍କରେ ଏସ୍‌ପି ସ୍ମିତ୍‌ ପି.ପରମାରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଯାହା ବି ତଥ୍ୟ ଉପଲବ୍ଧ, ତାହାକୁ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe