ଏବେ ନବ-କିଶୋରଙ୍କ ରାସ୍ତା ଏକ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଦୁହେଁ ତତ୍ପର

ଏବେ ନବ-କିଶୋରଙ୍କ ରାସ୍ତା ଏକ

ଝାରସୁଗୁଡ଼ା : ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଦୁଇ ପରସ୍ପର ବିରୋଧୀ ନେତା ନବ ଦାସ ଓ କିଶୋର ମହାନ୍ତି। ଏବେ ଦୁହେଁ ଗୋଟିଏ ରାସ୍ତାରେ। କିଛି ଦିନ ଆଗରୁ ପରସ୍ପର ମୁହଁ ଚାହାଁଚାହିଁ ହେଉନଥିବା ନବ ଦାସ ଓ କିଶୋର ମହାନ୍ତି ଏବେ ଗୋଟିଏ ଶିବିରରେ। କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିକୁ ଆଦରି ନେଇଥିବା ପରିପ୍ରେକ୍ଷୀରେ ନବ ତାଙ୍କର ରାଜନୈତିକ ଶତ୍ରୁ କିଶୋର ମହାନ୍ତିଙ୍କ ପ୍ରତି ଆଭିମୁଖ୍ୟ ମଧ୍ୟ ବଦଳାଇଥିବା ଲକ୍ଷ୍ୟ କରାଯାଇଛି। ଉଭୟ ନେତାଙ୍କ ଏବେ ମୁଖ୍ୟ ଲକ୍ଷ୍ୟ ହେଲା, ଆସନ୍ତା ୨୪ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ।

ଶୁକ୍ରବାର ସକାଳୁ ସକାଳୁ ନବ-କିଶୋର ବାହାରି ପଡ଼ିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ତଦାରଖ କରିବା ପାଇଁ। ଉଭୟ ନେତା ଏଭଳି ମିଶି କଥାବାର୍ତ୍ତା ହେଉଥିଲେ ଯେପରି ଉଭୟେ ବହୁ ବର୍ଷର ଅନ୍ତରଂଗ ବନ୍ଧୁ । ଏମାନଙ୍କ ସହିତ ଅନୁପ ସାଏ, ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ଅମଲିପଡ଼ା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସଭାକୁ କିଭଳି ବହୁ ସଂଖ୍ୟାରେ ଲୋକ ଯୋଗଦେବେ। ଲୋକଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ବ୍ୟବସ୍ଥା କିଭଳି ହେବ। ଶୌଚାଳୟ ନିର୍ମାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହେଲିପ୍ୟାଡ୍ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି। ଏହି ସଭା ପାଇଁ ପୂର୍ବରୁ ୫୦ ହଜାର ଜନସମାଗମ କଥା କୁହାଯାଉଥିବା ବେଳେ ଏବେ ଏହା ଏକ ଲକ୍ଷକୁ ବୃଦ୍ଧି ପାଇଛି। ପୂର୍ବରୁ ୩ ଶହ ବସ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ବସ ସଂଖ୍ୟା ମଧ୍ୟ ୫ ଶହକୁ ବୃଦ୍ଧି କରାଯାଇଥିବା ନବ ଶିବିରରୁ ଜଣାପଡ଼ିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ଟିକେଟ ନେଇ ନବ ଓ ତାଙ୍କ ସମର୍ଥକ ନିଶ୍ଚିତ ଥିବାରୁ ଉତ୍ସାହିତ ହୋଇ କାର୍ଯ୍ୟ କରୁଥିବା ବେଳେ କିଶୋରଙ୍କୁ କେଉଁ ସ୍ଥାନରେ ଟିକେଟ ମିଳିବ ସେ ନେଇ ଅନିଶ୍ଚିତତା ଭିତରେ କିଶୋରଙ୍କ ସମର୍ଥକ ରହିଛନ୍ତି। ଟିକେଟ ରାଜନୀତି ଯାହା ହେଉ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାକୁ ସଫଳ କରିବା ପ୍ରଥମ କର୍ତ୍ତବ୍ୟ ବୋଲି ଉଭୟ ‌ନେତା ଓ ତାଙ୍କ ସମର୍ଥକ ବେଶ ଭଲ କରି ବୁଝି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe