ଚାଷୀଙ୍କ ଦାବି ପୂରଣ ପାଇଁ ଜାନୁଆରି ୩୧ କଣ୍ଟ

ନବ ନିର୍ମାଣ କୃଷକ ସଂଗଠନର ପଦଯାତ୍ରା, ରାଜ୍ୟପାଳଙ୍କୁ ଦିଆଗଲା ସ୍ମାରକପତ୍ର

ଚାଷୀଙ୍କ ଦାବି ପୂରଣ ପାଇଁ ଜାନୁଆରି ୩୧ କଣ୍ଟ

ଭୁବନେଶ୍ବର : ଚାଷୀଙ୍କ ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ଆଜି ପୁଣି ରାସ୍ତାକୁ ଓହ୍ଲାଇଛି। ସଂଗଠନ ପକ୍ଷରୁ ଏକ ପଦଯାତ୍ରା ରଘୁନାଥପୁରର ରାଜଭବନ ଅଭିମୁଖେ ବାହାରିଥିଲା। ବାଟରେ ପୁଲିସ୍ ଅଟକାଇବାରୁ କିଛି ସେମାନେ ରାସ୍ତା ଉପରେ ଧାରଣା ଦେଇଥିଲେ। ଜାନୁଆରି ୩୧ ତାରିଖ ସୁଦ୍ଧା ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସଂଗଠନ ସରକାରଙ୍କୁ ଚେତାବନୀ ଦେଇଛି। ନଚେତ ଫେବ୍ରୁଆରି ୧ରୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସତର୍କ କରିଦିଆଯାଇଛି।

ଚାଷୀଙ୍କୁ ପେନସନ୍ ଦାବି ନେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଗତ ୧୨ଦିନ ହେବ ସଂଗଠନ କାର୍ଯ୍ୟାଳୟରେ ଅନଶନରେ ବସିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କେହି ପ୍ରତିନିଧି ଏ ସଂପର୍କରେ ଆଲୋଚନା କରିବାକୁ ଆସି ନ ଥିଲେ। ତେଣୁ ସଂଗଠନ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ବରେ ଆଜି ରାଜଭବନ ଅଭି‌ମୁଖେ ପଦଯାତ୍ରା କରାଯାଇଥିଲା। ଶତାଧିକ ଚାଷୀ ଏଥିରେ ଅଂଶଗ୍ରହଣ କରିଥିଲେ। ରାଜଭବନରେ ପହଞ୍ଚିବା ପୂର୍ବରୁ ଶାସ୍ତ୍ରୀନଗର ନିକଟରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଫଳରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସିଥିଲେ। କିଛି ସମୟ ପାଇଁ ସେହି ରାସ୍ତାରେ ଗାଡ଼ିମୋଟର୍ ଚଳାଚଳ ବନ୍ଦ ହୋଇଯାଇଥିଲା। ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇବାକୁ ଉଦ୍ୟମ କରିବାକୁ ଧସ୍ତାଧସ୍ତି ହୋଇଥିଲା। ପରେ ସଂଗଠନର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ଚାଷୀଙ୍କ ଦାବି ପୂରଣ ନ କଲେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ପରି ଦଶା ଭୋଗିବେ ବୋଲି ଶ୍ରୀ କୁମାର କହିଥିଲେ। ପଦଯାତ୍ରାରେ ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ବାଇଁ, ମନୱର ଅଲ୍ଲୀ, ସଂଗ୍ରାମ କିଶୋର, ସଚିନ୍ମୟ ମହାପାତ୍ର, ଶୁଭେନ୍ଦୁ ମଲ୍ଲିକ, ସୁରେନ୍ଦ୍ରନାଥ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ନରେନ୍ଦ୍ର କୁମାର ପ୍ରଧାନ, ତ୍ରିଲୋଚନ ପଣ୍ଡା ଓ ରାଜେନ୍ଦ୍ର ମିଶ୍ର ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe