ABP News
ନବରଙ୍ଗପୁର/ଉମରକୋଟ : ନବରଙ୍ଗପୁର ଜିଲ୍ଲା ବିଜେପିରେ ସୋମବାର ଦିନ ଘଟିଥିବା ଦୁଇଟି ବଡ଼ ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଯୁବନେତା ପଦବି ଛାଡ଼ିଥିବା ବେଳେ ଅନ୍ୟ ଦଳରୁ ନିଲମ୍ବିତ ଜଣେ ବରିଷ୍ଠ ନେତା ଦଳରେ ଯୋଗ ଦେଇଛନ୍ତି। ରାଜନୀତିରେ କୌଣସି କଥା ସ୍ଥାୟୀ ନୁହଁ ଏବଂ ବଡ଼ ଧରଣର ପରିବର୍ତ୍ତନ କୌଣସି ମୁହୂର୍ତ୍ତରେ ବି ହୋଇପାରେ ବୋଲି ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି। ସେହିପରି ରାଜନୈତିକ ଛକାପଞ୍ଝା ବି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଯାହାକି ଆଗାମୀ ଦିନରେ ନୂଆ ରୂପ ନେବ ବୋଲି ଆଲୋଚନା ହେଉଛି।
ସୋମବାର ଦିନ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ସଂଖ୍ୟାଲଘୁ ନେତା କାଜମ ମାଦାନି। ଦିନେ ବିଜେଡି ସଂଖ୍ୟାଲଘୁ ସେଲ୍ର ଜିଲ୍ଲା ସଭାପତି ଥିଲେ କାଜମ। ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ଜଣେ ଏକାନ୍ତ ଅନୁଗାମୀ ଭାବେ ପରିଚିତ ଥିଲେ। କିନ୍ତୁ ହଠାତ୍ ବିଜେଡି ତାଙ୍କୁ କିଛି ଦିନ ତଳେ ନିଲମ୍ବନ କରିଥିଲା। ପରବର୍ତ୍ତୀ ସମୟରେ କାଜମ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ଯୋଗଦେବେ ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପିରେ ଯୋଗ ଦେଇଛନ୍ତି। ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଭୃଗୁ ବକ୍ସିପାତ୍ର, ଜିଲ୍ଲା ପ୍ରଭାରୀ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ସନ୍ତୋଷ ମହପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାଜମ ଯୋଗଦେବା ପରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି ଦଳ କହିଛି।
ଅନ୍ୟପଟେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ପଦବିରୁ ଇସ୍ତଫା ଦେଇଛନ୍ତି ଯୁବନେତା କାହ୍ନୁ ଦାସ। ପଦବି ଛାଡ଼ିବାର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆଜି ମିଶ୍ରଣ ପର୍ବ ସଂକ୍ରାନ୍ତରେ ଦଳ ତାଙ୍କୁ ସୂଚନା ଦେଇନାହିଁ। ସେହିପରି ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା କିଛି ନେତା ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ବୋଲି ଅଭିଯୋଗ କରିଛନ୍ତି।
Follow Us