ନବରଙ୍ଗପୁର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପଞ୍ଚମ ପାଳିର ଆରମ୍ଭରେ ନବରଙ୍ଗପୁର ଜିଲ୍ଲାରୁ କେହି ମନ୍ତ୍ରୀ ହୋଇପାରି ନଥିଲେ। ତଥାପି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଲେ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ କେହି ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ୩ଥରର ବିଧାୟକ ମନୋହର ରନ୍ଧାରୀ ମନ୍ତ୍ରୀ ହେବେ ବୋଲି ବିଭିନ୍ନ ମହଲରେ ସରଗରମ ଆଲୋଚନା ହେଉଥିଲା। କିନ୍ତୁ ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାକୁ ପୁଣି ନିରାଶ ହେବାକୁ ପଡ଼ିଛି। ଜିଲ୍ଲାର ତିନି ବିଜେଡି ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ମନୋହର ରନ୍ଧାରୀ କିମ୍ବା ସଦାଶିବ ପ୍ରଧାନୀଙ୍କ ନିକଟକୁ ଫୋନ୍ ଆସି ନଥିବା ସୂଚନା ମିଳିଛି।
ଆଜି ସକାଳେ କୋଟପାଡ଼ ବିଧାୟକା ପଦ୍ମିନୀ ଦିଆନ ମନ୍ତ୍ରୀ ପଦବିରୁ ଇସ୍ତଫା ଦେବା ପରେ ସଂପ୍ରସାରଣରେ ନବରଙ୍ଗପୁର ଜିଲ୍ଲାର ନେତାଙ୍କୁ ବିଚାରକୁ ନିଆଯାଇ ପାରେ ବୋଲି କୁହାଯାଉଥିଲା। ଏପରିକି ଭଉଣୀ ମନ୍ତ୍ରୀ ପଦ ଛାଡ଼ିବା ପରେ ଭାଇ ମନୋହର ରନ୍ଧାରୀ ମନ୍ତ୍ରୀ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଅନୁମାନ କରାଯାଇଥିଲା। ରାତିରେ ମିଳିଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ନବରଙ୍ଗପୁର ଜିଲ୍ଲାର କୌଣସି ବିଧାୟକଙ୍କ ନାଁ ନାହିଁ। ଅନ୍ୟପକ୍ଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିକୁ ଯିବା ପରେ ତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ରାଜ୍ୟସଭା ରେସ୍ରୁ ପ୍ରଦୀପ ବାଦ ପଡିଥିଲେ। ତେବେ ଆଗାମୀ ଦିନରେ ନିଗମ ଅଧ୍ୟକ୍ଷ ପରିବର୍ତ୍ତନ ହୋଇପାରନ୍ତି। ସେଥିରେ ଜିଲ୍ଲାର କୌଣସି ନେତାଙ୍କୁ ଥଇଥାନ କରାଯାଇ ପାରେ। ତେବେ ସବୁବେଳେ ମାଷ୍ଟର ଷ୍ଟ୍ରୋକ୍ ଲଗାଉଥିବା ନବୀନ ଜିଲ୍ଲାବାସୀଙ୍କୁ କେତେ ଦୂର ଖୁସି ହେବାକୁ ସୁଯୋଗ ଦେଉଛନ୍ତି ଦେଖିବାକୁ ବାକି ରହିଲା।
Follow Us