ପୁଣେ: ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ। ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇଡଲ ସିଏମ ବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ପୁଣେ କଥାରୁଡସ୍ଥିତ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ- ବିଶ୍ୱଶାନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ। ସମ୍ମାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ ଦେଇ କହିଛନ୍ତି ଯେ ‘ସାଢ଼େ ୪ କୋଟି ଲୋକଙ୍କୁ ନେଇ ମୋର ପରିବାର। ଓଡ଼ିଶାବାସୀ ମୋ ଉପରେ ଭରସା ରଖିଛନ୍ତି। ଲୋକଙ୍କୁ ଭଲପାଇଥିଲେ ଲୋକଙ୍କ ପାଇଁ ନିର୍ବାଚନ ଲଢ଼। ଲୋକଙ୍କୁ ଆଗରେ ରଖିବା ହିଁ ପ୍ରକୃତ ସୁଶାସନ। ଅଧିକରୁ ଅଧିକ ଲୋକ ରାଜନୀତିକୁ ଆସିବା ଦରକାର। କାରଣ ଲୋକଙ୍କ ବିକାଶ ପାଇଁ ରାଜନୀତି ଏକ ଶକ୍ତିଶାଳୀ ମାଧ୍ୟମ।’ ନବୀନ ଏହି ସମ୍ମାନକୁ ଓଡ଼ିଶାବାସୀଙ୍କୁ ସମର୍ପିତ କରିଛନ୍ତି।
ଭାରତ ସରକାରଙ୍କ କ୍ରିଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ୟୁନେସ୍କୋ ମାନବାଧିକାର ବେଂଚ ଓ ଏମଆଇଟି ସ୍କୁଲ ଅଫ ଗଭର୍ଣ୍ଣାନ୍ସ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଏହି ଉତ୍ସବରେ ଉପସ୍ଥିତ ୧୦ ହଜାରରୁ ଅଧିକ ଛାତ୍ର ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ କହିଛନ୍ତି, ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସବୁଠୁ ବଳିଷ୍ଠ ମାଧ୍ୟମ ହେଉଛି ରାଜନୀତି। ତେଣୁ ନେତାଙ୍କ ମନୋବୃତି ଓ ଉଦ୍ୟମ ଯଦି ଜନସାଧାରଣ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଲେ ରାଜନୀତି ସରଳ ହୋଇଯାଏ ବୋଲି ନବୀନ କହିଛନ୍ତି। ଏହା ସହ ଲୋକଙ୍କୁ ପ୍ରାଥମିକତା ଦେଲେ ଭଲ ରାଜନୀତି ହୋଇପାରିବ ବୋଲି ସେ କହିଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ ମାଗାଜିନ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ କରାଯାଇଥିଲା।
/sambad/media/post_attachments/wp-content/uploads/2018/01/26996621_1271964946280813_1568610741_n-300x300.jpg)
ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ନବୀନ ପଟ୍ଟନାୟକ ପାଇଥିବା ବେଳେ ଏହାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଜୋରଦାର ହୋଇଛି। କଂଗ୍ରେସ ଏହାକୁ ପ୍ରାୟୋଜିତ ବୋଲି କହିଛି। ବରିଷ୍ଠ ନେତା ସୁରେଶ ରାଉତରାୟ ଏମଆଇଟିକୁ ରାଜ୍ୟ ସରକାର ୧୨୦ କୋଟି ଟଙ୍କାର ଅନୁକମ୍ପା ଦେଇଥିବା ବେଳେ ଏହି ପୁରସ୍କାର ଦେବାରେ ସେହି ଅନୁଷ୍ଠାନ ପାଇଁ ଅସୁବିଧା କେଉଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଆରପଟେ ବିଜେପି ଏ ପ୍ରକାର ସାର୍ଟିଫିକେଟର ମାନେ କଣ ବୋଲି ପ୍ରଶ୍ନ କରିଛି।
ମୁଖ୍ୟମନ୍ତ୍ରୀଙ୍କୁ ନଗଡା, ଦାନ ମାଝି, ଦଶରଥପୁର ମହିଳା ସାର୍ଟିଫିକେଟ ଦେଇସାରିଛନ୍ତି ବୋଲି ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। କିନ୍ତୁ ରାଜ୍ୟରେ କଣ ବିକାଶ ହୋଇନାହିଁ ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛି ବିଜେଡି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସମ୍ମାନ ମିଳିବା ନେଇ ବେଶ ଉତ୍ସାହିତ ବିଜେଡି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଫେରିବାବେଳେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜନ କରିଛି ଦଳ। ଭୁବନେଶ୍ୱର ବିମାନବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରୁ ନବୀନ ନିବାସ ପର୍ଯ୍ୟନ୍ତ ହୋଡିଂ ଓ ଷ୍ଟେଜ ତିଆରି କାର୍ଯ୍ୟକ୍ରମ ଯୋରସୋରରେ ଛାଲିଛି। କର୍ମୀମାନଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବାରିକେଡ ମଧ୍ୟ କରାଯାଇଛି।
Follow Us