ରାୟଗଡ଼ାର ନଗଡ଼ା ‘ମୁନୁଷପଦର’: ମୌଳିକ ସୁବିଧାସୁଯୋଗଠୁ ଦୂରରେ

Advertisment

ଅଜଣା ରୋଗ ନେଲାଣି ୫ ଶିଶୁଙ୍କ ଜୀବନ, ପାଣି, ବିଦ୍ୟୁତ୍, ଶିକ୍ଷା, ରାସ୍ତା ସୁବିଧା ନାହିଁ

ଅଜଣା ରୋଗ ନେଲାଣି ୫ ଶିଶୁଙ୍କ ଜୀବନ, ପାଣି, ବିଦ୍ୟୁତ୍, ଶିକ୍ଷା, ରାସ୍ତା ସୁବିଧା ନାହିଁ

ରାୟଗଡ଼ାର ନଗଡ଼ା ‘ମୁନୁଷପଦର’: ମୌଳିକ ସୁବିଧାସୁଯୋଗଠୁ ଦୂରରେ

କାଶୀପୁର: ଅଜଣା ରୋଗ ନେଲାଣି ୫ ଶିଶୁଙ୍କ ମୁଣ୍ଡ। ଆଉ ଦୁଇ ଆକ୍ରାନ୍ତ ମେଡିକାଲରେ ଚିକିତ୍ସାଧୀନ। ଜଣେ ବୃଦ୍ଧଙ୍କ ସମେତ ଗାଁର କିଛି ଲୋକ ମଧ୍ୟ ଅସୁସ୍ଥ। ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଆଦିତ୍ୟ ମହାପାତ୍ର, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜର ଶିଶୁ ବିଶେଷଜ୍ଞ ଡା. ଶିବ ଶଙ୍କର ବରିହା, ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପ୍ରଭାବିତ ଗାଁ ପରିଦର୍ଶନ କରିଛନ୍ତି। ଅଥଚ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି। ଫଳରେ ଅବହେଳିତ ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ଖଣି ଓ ଶିଳ୍ପ ସମୃଦ୍ଧ କାଶୀପୁର ବ୍ଲକ୍‌ ଡଙ୍ଗାସିଲ୍ ପଞ୍ଚାୟତର ମୁନୁଷପଦର ଗାଁ।

ବ୍ଲକ୍ ସଦର ମହକୁମାରୁ ୩୫କିମି ଦୂରରେ ରହିଛି ମୁନୁଷପଦର ଗାଁ। ଅଜଣା ‌ରୋଗରେ ପ୍ରଭାବିତ ମୁନୁଷପଦର ଗ୍ରାମର ଦୃଶ୍ୟ ନଗଡାଠାରୁ କିଛି କମ୍‌ ନୁହେଁ। ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗରୁ ବହୁ ଦୂରରେ ରହିଛି ଏହି ଗାଁ। ଅପପୁଷ୍ଟି କାରଣରୁ ଶିଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରାୟ ୪୦ ପରିବାର ରହୁଥିବା ଏହି ଗ୍ରାମରେ ପିଇବା ପାଣିର ସୁବିଧା ନ ଥିବାରୁ ଗ୍ରାମବାସୀ ନାଳର ଦୂଷିତ ପାଣି ବ୍ୟବହାର କରୁଛନ୍ତି। ଗ୍ରାମରେ ଥିବା ଗୋଟିଏ ମାତ୍ର ନଳକୂପ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ିଥିବା ବେଳେ ଜଳ ପ୍ରକଳ୍ପରୁ ପାଣି ବାହାରୁ ନାହିଁ। ଗାଁକୁ ଆମ୍ବୁଲାନ୍ସ ଗଲା ଭଳି ରାସ୍ତା ଖଣ୍ଡିଏ ନାହିଁ। ଗାଁଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ଥିବା ମୁର୍କା ଘାଟି ନିକଟରେ ଗାଡ଼ି ସମେତ ଆମ୍ବୁଲାନ୍ସ ଅଟକି ରହୁଛି। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଥିବା ଏହି ଗାଁକୁ ଚାରିପଟକୁ ନାଳ ଘେରି ରହିଥିବାରୁ ବର୍ଷା ଦିନରେ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ଗାଁରେ ପ୍ରାକ୍‌ ଶିକ୍ଷା ପାଇଁ ଅଙ୍ଗନବାଡ଼ି କିମ୍ବା ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟାଳୟ ସୁବିଧା ନାହିଁ।

ସେହିପରି ବିଦ୍ୟୁତ୍‌ ସେବା ନଥିବାରୁ ଲୋକେ ଅନ୍ଧାରରେ ରାତି କଟାଉଛନ୍ତି। ପାଞ୍ଚ ବର୍ଷ ତଳେ ଗ୍ରାମକୁ ତାର ଟଣାଯାଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। କିଛି ଦିନ ପରେ ତାର ଚୋରି ହୋଇଯାଇଥିଲା। ସ୍ବାସ୍ଥ୍ୟସେବା ପାଇଁ ୧୪ କିମି ଦୂରରେ ଥିବା ଡଙ୍ଗାସିଲ୍ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମବାସୀ ନିର୍ଭରଶୀଳ। ୨୦୨୨ ମସିହାରେ କାଶୀପୁର ବ୍ଲକରେ ଡାଇରିଆରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସରକାରୀ ହିସାବରେ ମୃତ୍ୟୁସଂଖ୍ୟା ଥିଲା ୯। ଟିକିରି, ଦୁଡୁକାବାହଲ, ଶଙ୍କରଡ଼ା, ଅଡ଼ାଜୋର୍, ବୁଡ଼ିବାଲି ଗ୍ରାମର ଶତାଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣାରେ ବିଜେଡି ସରକାରକୁ ଘେରିଥିଲେ ବିରୋଧୀ। ଉକ୍ତ ସମୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ପ୍ରତିନିଧି ଦଳର ମୁଖ୍ୟ ଭାବେ କାଶୀପୁର ଗସ୍ତ କରି ଡାଇରିଆ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରିଥିଲେ। ତଥାପି ଚେତିଲେନି ସରକାର। ଯେଉଁଥି ପାଇଁ ଦୁଇ ବର୍ଷର ବ୍ୟବଧାନ ପରେ କାଶୀପୁର ବ୍ଲକରେ ପୁଣି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe