ବିକାଶଠାରୁ ବହୁଦୂରରେ ମୟୂରଭଞ୍ଜର ନଗଡା ଭାବେ ପରିଚିତ ଗରଡାପାଣି

Advertisment
ବିକାଶଠାରୁ ବହୁଦୂରରେ ମୟୂରଭଞ୍ଜର ନଗଡା ଭାବେ ପରିଚିତ ଗରଡାପାଣି

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବହୁ ସରକାରୀ ଯୋଜନା ବାଡ଼ ହୁଡିଛି। କେଉଁଠି ରାସ୍ତା ନାହିଁତ କେଉଁଠି ପିଇବା ପାଣି ସ୍ୱପ୍ନ । ଆଉ କେଉଁଠି ସ୍କୁଲ/ଅଙ୍ଗନବାଡି ନାହିଁ କି ଆମ୍ବୁଲ୍ୟାନ୍ସ ଗାଁକୁ ମାଡିନି। ଏପରିକି ସାଇକେଲରେ ମଧ୍ୟ ସେହି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। ଏଭଳି ଅନେକ ଗାଁ ଅଛି ଏହି ଭଞ୍ଜଭୂମିରେ। ଆଉ କିଛି ନାହିଁ ନାହିଁର ଗାଁ ମଧ୍ୟ ଅଛି।

ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁର ବ୍ଲକର କୁଲେଇଶିଳା ଗ୍ରାମପଂଚାୟତର ଗରଡାପାଣି ଗାଁ। ଗୋରୁମହିଷାଣୀ ବଜାରଠାରୁ ୮ କିଲୋମିଟର ଯିବା ପରେ ପଡେ କଳସୀଭଙ୍ଗା ଏବଂ ସେହିଠାରୁ ୩ କି.ମି ପାହାଡ ରାସ୍ତାରେ ଚାଲିଚାଲି ଯିବା ପରେ ପଡ଼େ ଗରଡାପାଣି। ଗାଁର ମୋଟ ପରିବାର ସଂଖ୍ୟା ୨୨ ଥିବା ବେଳେ ଜନସଂଖ୍ୟା ୧୦୦ରୁ ଊର୍ଦ୍ଧ। ଟଙ୍କିକିଆ ଚାଉଳ ଛଡା ସବୁ ସରକାରୀ ଯୋଜନା ଏଠି ଅପହଂଚ। ଗ୍ରାମର କିଛି ପରିବାରକୁ ଇନ୍ଦିରାବାସ ମିଳିଥିଲେ ସୁଦ୍ଧା ଗାଁକୁ ରାସ୍ତା ନ ଥିବାରୁ ତାହା ସମ୍ପୂର୍ଣ ହୋଇପାରୁନି। ଗାଁରେ ଥିବା ପାଦଚଲା ରାସ୍ତାରେ କେବେ ସାଇକେଲଟିଏ ମଧ୍ୟ ଗଡିନଥିଲା ତେବେ ଏନେଇ ଦୈନିକ ‘ସମ୍ବାଦ’ରେ “ଗରୋଡାପାଣିରେ ପାଣି ନାହିଁକି ରାସ୍ତା ନାହିଁ” ଶିର୍ଷକରେ ଖବର ପ୍ରକାଶ ପରେ ପ୍ରଶାସନ ଦଳ ଗରୋଡାପାଣୀ ଗ୍ରାମରେ ପହଂଚି ତଦନ୍ତ କରିବାପରେ ଗ୍ରାମସଭା ବସିଥିଲା ଏବଂ ଗ୍ରାମର ବିକାଶ ନିମନ୍ତେ ଆଲୋଚନା ହୋଇଥିଲା। ଆଲୋଚନା ପରେ ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ଯେ ସେହି ଗ୍ରାମରେ ରାସ୍ତା ନିର୍ମାଣ ହେବା ପରେ ବିକାଶ ହେବ।

publive-image

ତେବେ ପରିବାରର କେହି ସଦସ୍ୟ ରୋଗରେ ପଡିଲେ ବା ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖଟିଆ ହେଉଛି ଏକମାତ୍ର ସାଧନ । ଆଉ ଗାଁର ବହୁ ମହିଳା ଏହି ପାହାଡ ତଳେ ଅଧାବାଟରେ ପ୍ରସବ କରରଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଗାଁରେ ଅଙ୍ଗନବାଡି ନାହିଁକି ସ୍କୁଲ ବି ନଥିଲା। ପଢିବାପାଇଁ ପିଲାଙ୍କୁ ୫ କି.ମି ଦୂର ଛତ୍ରମଣ୍ଡଳ ଗାଁକୁ ଯିବାକୁ ପଡିଥାଏ। ଫଳରେ ଗାଁର ଲୋକେ ତାଙ୍କ ପିଲାଙ୍କୁ ଭଲ ଭାବେ ପାଠପଢାଇ ପାରୁନଥିଲେ। ଗରଡାପାଣି ଗାଁ ପିଲାଙ୍କର ସକାଳ ଠାରୁ ସଞ୍ଜ ଯାଏ ବିତେ ଜଙ୍ଗଲରେ, କିଏ ଚଢେଇ ଶିକାର ତ ଆଉ କିଏ ଜଙ୍ଗଲରୁ ଫଳମୂଳ ଆଶାରେ ଦିନ ବିତାଇ ଥାଏ । ଗାଁକୁ ରାସ୍ତା ନାହିଁ କି ପିଇବା ପାଣିର ବି ସୁବିଧା ନଥିଲା। ଗାଁରେ ଗୋଟିଏ କୂଅ ଅଉ ଛୋଟ ପୋଖରୀ ଅଛି ତାହା ପୁଣି ଖରାଦିନ ନ ହେଉଁଣୁ ଶୁଖିଯାଏ।

ସରକାରୀ ବାବୁ କି ନେତା କାହାରି ପାଦ ଗରଡାପାଣିରେ ପଡୁନଥିଲା। ତେବେ ବହୁ ବର୍ଷ ପରେ ଜିଲ୍ଲା ଡେପୁଟି ପ୍ଲାନିଙ୍ଗ ଅଫିସର ସୁକାନ୍ତ କୁମାର ଖୁଣ୍ଟିଆ ଏବଂ ତାଙ୍କ ଟିମ ଏହି ଅଂଚଳ ବୁଲିବାକୁ ଆସିଥିଲେ ଏବଂ ସମସ୍ୟା ବିଷୟରେ ବୁଝିଥିଲେ । ତଥାପି ଗ୍ରାମବାସୀ ସରକାରୀ ବାବୁଙ୍କୁ ଭରସା କରୁନଥିଲେ। ଏଣୁ ତୁରନ୍ତ ମୟୂରଭଞ୍ଜର ନଗଡା (ଗରଡାପାଣି) ଅନ୍ଧାରୀମୂଲକ ପ୍ରତିଦୃଷ୍ଟି ଦେଇ ଏହି ଗ୍ରାମର ସମସ୍ୟାର ସମାଧାନ ପାଇଁ ଜନସାଧାରଣରେ ଦାବି ହେଉଛି। ନଚେତ ନଗଡା ଭଳି ସମସ୍ୟା ଗରଡାପାଣିରେ ମଧ୍ୟ ଦେଖାଯିବାର ସମ୍ଭାବନା ରହିଛି ।

publive-image

ତେବେ ଗାଁଲୋକେ ଅସୁବିଧା ହେତୁ ପାହାଡ କାଟି ଗ୍ରାମବାସୀ ରାସ୍ତା ତିଆରି କରିଥିଲେ, ଯାହାଫଳରେ ଉକ୍ତ ଗ୍ରାମକୁ ସାଇକେଲ ଓ ଅନ୍ୟାନ ୨ ଚକିଆ ଯାନ ଯିବା ଆସିବା କରୁଥିଲା କିନ୍ତୁ ବର୍ଷାରେ ରାସ୍ତା ଧୋଇହୋଇଯିବାରୁ କିଛିଦିନପରେ ଉକ୍ତ ରାସ୍ତାରେ ସାଇକେଲ ମଧ୍ୟ ଗଡିବା କାଠିକର ପାଠ ହେଉଥିଲା। ପୂର୍ବରୁ ବନବିଭାଗ ରାସ୍ତା କାର୍ଯ୍ୟ ପାଇଁ ଅନୁମତି ଦେଉନଥିବାରୁ ରାସ୍ତା କାର୍ଯ୍ୟ ହୋଇପାରୁନଥିଲା। ପୂର୍ବରୁ ବନବିଭାଗର ଅନୁମତି ମିଳିବା ପରେ ରାସ୍ତାକାର୍ଯ ଆରମ୍ଭ ହେବାପରେ ଗ୍ରାମବାସୀଙ୍କ ଖୁସିର ଲହରୀ ଖେଳିଯାଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଉକ୍ତ କାର୍ଯରେ ଗ୍ରାମବାସୀ ଅସନ୍ତୁଷ୍ଟ ଥିବାରୁ ଅଭିଯୋଗ ପରେ ରାସ୍ତା କାର୍ଯ୍ୟ ବନ୍ଦ ରହିଲା। ଯାହାଫଳରେ ବର୍ତ୍ତମାନ ଉକ୍ତ ରାସ୍ତାଦେଇ ସାଇକେଲରେ ମଧ୍ୟ ଯିବା ଆସିବା ଅସମ୍ଭବ ହେଉଛି। ତେବେ ଯଥାଶିଘ୍ର ରାସ୍ତା ନିର୍ମାଣପରେ ଗ୍ରାମର ବିକାଶ ଦିଗରେ ଦୃଷ୍ଟି ଦେବାପାଇଁ ଦାବି ହେଉଛି। ବିଶେଷ କରି ପାଣି ସମସ୍ୟା ଯଥା ଶୀଘ୍ର ଦୂରବ କରିବା ପାଇଁ ଦାବି ହେଉଛି । ବର୍ତ୍ତମାନର ଡିଜିଟାଲ ଇଣ୍ଡିଆ ଯୁଗରେ ସବୁଠାରୁ ଜରୁରୀକାଳୀନ ମୋବାଇଲ୍ ନେଟ୍‌ୱାର୍କ ଉକ୍ତ ଗ୍ରାମରେ ମଧ୍ୟ ମିଳୁନାହିଁ, ଯାହାଫଳରେ ବର୍ତମାନ ମଧ୍ୟ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe