କାଠ ମାଫିଆଙ୍କ କରିଡର ପାଲଟିଛି ନଗଡ଼ା ସଡ଼କ

କାଠ ମାଫିଆଙ୍କ କରିଡର ପାଲଟିଛି ନଗଡ଼ା ସଡ଼କ

ନଗଡ଼ା-ଏକୁଲ ଜଙ୍ଗଲରେ ଶାଳଗଣ୍ଡି ଠାବ
ଜଙ୍ଗଲରେ ବୁଲୁଛନ୍ତି ପଲପଲ ପଣ୍ଡା ବାହକ
ଅନ୍ତଃରାଜ୍ୟ କାଠ ମାଫିଆ ସକ୍ରିୟ

କାଳିଆପାଣି : ନଗଡ଼ା ସଡ଼କ ଏବେ ଅନ୍ତଃରାଜ୍ୟ କାଠ ମାଫିଆଙ୍କ କରିଡର ପାଲଟିଛି। ନଗଡ଼ା ଓ ଏକୁଲକୁ ସବୁଦିନିଆ ସଡ଼କ ନିର୍ମାଣ ପରେ ଏହା ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ପେସାଦାର କାଠ ଚୋରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ନଗଡ଼ା ପାର୍ଶ୍ବବର୍ତ୍ତୀ ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର(ପୂର୍ବ) ରେଞ୍ଜ୍ ବିରାଶାଳ ଫରେଷ୍ଟ୍ ସେକ୍ସନ-୨ ଅନ୍ତର୍ଗତ ଏକୁଲ, ‌ସେକୁଲ ଓ ପୁଟିପାଳ ଏବଂ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଅନ୍ତର୍ଗତ ଦେଓଗାଁ, ଖୁମୁଡ଼ିବାହାଳି ଓ ଚଣାକୋଟ ଜଙ୍ଗଲରେ ବହୁ ଶାଳଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି। ଶାଳଗଣ୍ଡିଗୁଡ଼ିକ ବିକ୍ଷିପ୍ତ ଭାବେ ପଡ଼ିଥିବା ନେଇ ବିଭିନ୍ନ ଗାଁର ବନ ସୁରକ୍ଷା ସମିତି ସଦସ୍ୟ ମତ ରଖିଛନ୍ତି। ପୁନଶ୍ଚ ନଗଡ଼ା ଆଖପାଖ ଜଙ୍ଗଲରେ ପଲପଲ ପଣ୍ଡା ବୁଲୁଥିବା ଦେଖିବାକୁ ମିଳିଛି। ଏଥିସହ ମଇଁଷି ବାହକରେ ପାହାଡ଼ି ଜଙ୍ଗଲରୁ କାଠ ଟଣା ଯାଉଥିବା ସ୍ପଷ୍ଟ ହୋଇଛି। ଏହି କାଠ ସବୁ ଗତ ୧୫ ଦିନ ମଧ୍ୟରେ ଟାଙ୍ଗିଆ ସହାୟତାରେ ହଣା ଯାଇଥିବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି।

ସବୁଠୁ ଆଶ୍ଚର୍ଯ୍ୟ କଥା ଯେ, ଗତ ୧୧ ତାରିଖ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ଡିଏଫ୍‌ଓ ବିମଳ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖଙ୍କ ସଦଳବଳ ଏକୁଲ ଗସ୍ତ ଅବସରରେ ଏକୁଲ ବିଟ୍‌ ଅନ୍ତର୍ଗତ ପୁଟିପାଳ-କୋଟ ମୁଖ୍ୟ ରାସ୍ତା କଡ଼ରେ ୪ଟି ଶାଳଗଣ୍ଡି ଦେଖିବାକୁ ମିଳିଥିଲା। ସମସ୍ତ ଶାଳଗଣ୍ଡିକୁ ବନ ବିଭାଗ ସେଦିନ ଉଦ୍ଧାର କରିଥିଲେ ମଧ୍ୟ ଏସବୁ ପଛରେ କାଠ ମାଫିଆଙ୍କ ହାତ ରହିଛି ବୋଲି କାମାକ୍ଷାନଗର(ପୂର୍ବ) ‌ରେଞ୍ଜର ସତ୍ୟ ନାରାୟଣ ସାହୁ ସ୍ବୀକାର କରିଛନ୍ତି। ମୁଖ୍ୟ ସଡ଼କ କଡ଼ରୁ ଯଦି ୪ଟି ଶାଳଗଣ୍ଡି ଉଦ୍ଧାର କରାଗଲା ତେବେ ଜଙ୍ଗଲ ମଧ୍ୟରେ କେତେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନଗଡ଼ା ପାରିପାର୍ଶ୍ବିକ ଇଲାକାର ବିଭିନ୍ନ ଜଙ୍ଗଲରେ ବିକ୍ଷିପ୍ତ ଭାବେ କାଠଗଣ୍ଡି ପଡ଼ି ରହିଥିବା ନେଇ ଉଭୟ ଜିଲ୍ଲାର ବନ ବିଭାଗ ସ୍ବୀକାର କରିଛି।

ଘଞ୍ଚ ଜଙ୍ଗଲ ମଧ୍ୟକୁ ଯାଇ କାଠଗଣ୍ଡି ଖୋଜିବା କଷ୍ଟକର ବ୍ୟାପାର ହୋଇଥିବାରୁ ବନ ବିଭାଗ ଏ କ୍ଷେତ୍ରରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କହନ୍ତି ରାଁସୋଳ ଫରେଷ୍ଟର ରବି ନାରାୟଣ ମହାନ୍ତି। ଅନ୍ୟପଟେ ମୂଲ୍ୟବାନ କାଠ ଚାଲାଣ ପାଇଁ କାଠ ମାଫିଆ ସୁଯୋଗ ଅପେକ୍ଷାରେ ଥିବା ସୂଚନା ମିଳିଛି। ଉଭୟ ଦିଗରେ ଦିନେ ଦୁର୍ଗମ ଥିବା ଯାଜପୁର ଜିଲ୍ଲାର ନଗଡ଼ା ଓ ଢେଙ୍କାନାଳ ଜିଲ୍ଲାର ଏକୁଲକୁ ଡିଏମ୍‌ଏଫ୍‌ ପାଣ୍ଠିରୁ ସବୁ ଦିନିଆ ସଡ଼କ ନିର୍ମାଣ ପରେ ଏହା ଅନ୍ତଃରାଜ୍ୟ କାଠ ମାଫିଆଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ନଗଡ଼ା ସଡ଼କରେ ‌ନାଲିଆଡାବ, ଅଶୋକଝର ଓ ଅରଡ଼ାପାଳ ପର୍ଯ୍ୟନ୍ତ କାଠ ବୋହି ଆଣିବା ପରେ ମାଫିଆମାନେ ଏସବୁକୁ ଭାୟା ବିରାଶାଳ ସେକ୍ସନ ଅନ୍ତର୍ଗତ ଖରଖରି ଓ ମରୁଆବିଲ ବାଟେ ଭୁବନ ଓ କାମାକ୍ଷାନଗର ଏବଂ କଲରଙ୍ଗି ଓ ରାଁସୋଳ ବାଟେ ସୁକିନ୍ଦା ଓ ଯାଜପୁରରୋଡ଼ ଚାଲାଣ କରୁଥିବା ସୂଚନା ମିଳିଛି। ଆଉ ଏକ ମାଫିଆ ଗୋଷ୍ଠୀ ନଗଡ଼ା ଭାୟା ନାଲିଆଡାବ ଓ କଅଁସ ପରେ ମହାଗିରି ପାହାଡ଼ ଅତିକ୍ରମ କରି ପିମ୍ପୁଡ଼ିଆ, ରାଙ୍କିଆ, କୋଇଲ ବାଟେ ସୁକିନ୍ଦା, କଳଙ୍ଗନଗର ଓ ଚଣ୍ଡିଖୋଲକୁ କାଠ ଚାଲାଣ କରୁଛନ୍ତି।

ଢେଙ୍କାନାଳ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ମାତିଥିବା କାଠ ମାଫିଆ ନଗଡ଼ା-ଏକୁଲ-କୋଟ୍‌ ସଡ଼କକୁ ବ୍ୟବହାର କରୁଛନ୍ତି। ଉକ୍ତ ରାସ୍ତାରେ ଚୋରା କାଠସବୁ କଙ୍କଡ଼ାହାଡ଼ ପହଞ୍ଚିବା ପରେ ଭାୟା ତେଲକୋଇ, ମାରଦା, ବିମଳା ଗେଟ୍‌ ଦେଇ ଚୋରା କାଠ ସବୁ କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଉପରୋକ୍ତ ରାସ୍ତାରେ ପୂର୍ବରୁ ଥିବା ବନ ବିଭାଗ ତନଖି ଫାଟକ ସବୁ ଅକାମୀ ରହିଥିବାରୁ ମାଫିଆମାନେ ଅନାୟାସରେ କାଠ ଚାଲାଣ କରିଆସୁଥିବା ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe