ଆରମ୍ଭରୁ ନଗଡ଼ା ଧାନକଳ ଅଚଳ: ହାତରେ ଧାନ କୁଟୁଛନ୍ତି ମହିଳା

Advertisment
ଆରମ୍ଭରୁ ନଗଡ଼ା ଧାନକଳ ଅଚଳ: ହାତରେ ଧାନ କୁଟୁଛନ୍ତି ମହିଳା

କାଳିଆପାଣି: ଯାଜପୁର ଜିଲ୍ଲା କୃଷି ବିଭାଗ ପକ୍ଷରୁ ନଗଡ଼ାକୁ ଦିଆଯାଇଥିବା ଧାନକଳ ଆରମ୍ଭରୁ ଅଚଳ ପଡ଼ିଛି। ଏହି ଗାଁରେ ଏଯାବତ୍ ଧାନପେଷା କଳ ନଥିବାରୁ ଗାଁର ଝିଅବୋହୂମାନେ ହାତରେ ଧାନକୁଟି ଚାଉଳ ପ୍ରସ୍ତୁତ କରୁଥିବା ଦେଖାଯାଇଛି। ଅଧିକ ଧାନ ଥିବା ଲୋକମାନେ ଧାନ ପେଷାଇବା ପାଇଁ ଗାଁଠାରୁ ୩ କିଲୋମିଟର ଦୂର ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ର ଏକୁଲ ଗାଁକୁ ଯାଇଥାନ୍ତି।

୨୦୧୭ ମସିହା ମାର୍ଚ୍ଚ ମାସ ୩ ତାରିଖ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ଅଖିଳ ବିହାରୀ ଓତାଙ୍କ ପ୍ରଥମ ନଗଡ଼ା ଗସ୍ତ ଅବସରରେ ଗାଁର ମହିଳାମାନେ ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଘେରି ଧାନକଳ ପାଇଁ ଦାବି କରିଥିଲେ। ନଗଡ଼ା ସଡ଼କ ଉନ୍ନତୀକରଣ ପ‌ରେ କରୋନା ସମୟରେ ୨୦୨୦ ମସିହା ଜୁନ୍‌ ୨୮ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଦାସ ତଳନଗଡ଼ା ମଣ୍ଡପରେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସେଦିନ ମହିଳାମାନେ ଗାଁରେ ଧାନକଳ ପ୍ରତିଷ୍ଠା ପାଇଁ ଅଡ଼ି ବସିଥିଲେ। ୨୦୨୧ ଏପ୍ରିଲ ମାସରେ ତତ୍କାଳୀନ ଜିଲ୍ଲା କୃଷି ଅଧିକାରୀ ବିମଳ କୁମାର ରପ୍ତାନ ଓ ବ୍ଲକ୍‌ କୃଷି ଅଧିକାରୀ ପ୍ରବୋଧ କୁମାର ବିଶ୍ବାଳ ନଗଡ଼ା ଗସ୍ତରେ ଆସି ଗ୍ରାମବାସୀଙ୍କୁ ଏକ ବିଦ୍ୟୁତ୍‌ ଚାଳିତ ଧାନକଳ ପ୍ରଦାନ କରିଥିଲେ। ସେବେଠାରୁ ତଳନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଘରେ ରଖାଯାଇଥିବା ଏହି ଧାନକଳ ଅଚଳ ପଡ଼ିଛି। କୃଷି ବିଭାଗର ଯାନ୍ତ୍ରିକ ପ୍ରତିନିଧି ଦଳ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏହା ଆଦୌ ଚାଲିପାରି ନଥିବା ନଗଡ଼ା ୱାର୍ଡ ମେମ୍ବର ଲକ୍ଷ୍ମୀ ପ୍ରଧାନ, ଚୁକୁଲି ପ୍ରଧାନ, ରୂପ‌ାଲି ପ୍ରଧାନ, ବ୍ରାହ୍ମଣୀ ପ୍ରଧାନ, କୁଶୁମଲି ପ୍ରଧାନ, ସୁନିଆରି ପ୍ରଧାନ, ଜାମୁନି ପ୍ରଧାନ, ଚୁକେଇ ପ୍ରଧାନ, ଟୁଇ ପ୍ରଧାନ ଅଭି‌ଯୋଗ କରିଛନ୍ତି।

ଏ ସଂପର୍କରେ କୃଷି ଅଧିକାରୀ ଶ୍ରୀ ବିଶ୍ବାଳଙ୍କୁ ଯୋଗାଯୋଗ କରିବାରେ ଆରମ୍ଭରୁ ଧାନକଳ ଅଚଳ ପଡ଼ିବା ଜାଣି ସେ ଦୁଃଖ ପ୍ରକାଶ କରିଥିଲେ। ସେତେବେଳେ ଏହାକୁ କାର୍ଯ୍ୟକ୍ଷମ କରାଇବା ଦିଗରେ କୃଷି ବିଭାଗ ଇଞ୍ଜିନିୟରିଂ ଶାଖାର ସହଯୋଗ ଲୋଡ଼ା ଯାଇଥିଲା ବୋଲି କହିଥିଲେ। ଖୁବ୍‌ଶୀଘ୍ର ଏହାକୁ ସେବା ଉପଯୋଗୀ କରାଯିବ ବୋଲି କୃଷି ଅଧିକାରୀ ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe